ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷ ପାଇଁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ୟୁଜି ସିଟ୍ ସଂଖ୍ୟାରେ ବୃଦ୍ଧି କରିଛି । ନାମଲେଖା ପାଇଁ ଅଧିକ ଆବେଦନ ହୋଇଥିବାରୁ ବିଭାଗ ପକ୍ଷରୁ ସିଟ୍ ବଢ଼ାଇବାକୁ ନିଷ୍ପତ୍ତି କରାଯାଇଛି । ବିଭିନ୍ନ କଲେଜରେ ମୋଟ ୧୦ ହଜାର ୩୭୨ ସିଟ୍ ବଢ଼ିଛି । ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ଯୁଗ୍ମ ସଚିବ ମୌସୁମୀ ନାଏକ ସମସ୍ତ ଜୋନର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ।
ଚିଠିରେ ଉଲ୍ଲେଖ କରାଯାଇଛି ଯେ ପୂର୍ବ ଶିକ୍ଷା ଅଧିବେଶନର ପ୍ରବେଶ ତଥ୍ୟ ସମୀକ୍ଷା କରିବା ପରେ ବିଭାଗ ଅନୁଭବ କରିଛି ଯେ ଅନେକ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ କିଛି ୟୁ.ଜି. ବିଷୟଗୁଡ଼ିକରେ ନାମଲେଖା ପାଇଁ ଚାହିଦା ଅଧିକ ରହିଛି । କିନ୍ତୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ୟୁ.ଜି ଅନୁମୋଦିତ ସଂଖ୍ୟା ତୁଳନାତ୍ମକ ଭାବରେ କମ୍ ରହିଛି । ଛାତ୍ରଛାତ୍ରୀଙ୍କ ଚାହିଦା ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ରାଜ୍ୟର କିଛି ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଏବଂ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ମନୋନୀତ ୟୁ.ଜି. ବିଷୟଗୁଡ଼ିକରେ ଅନୁମୋଦିତ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତ ଶିକ୍ଷାବର୍ଷ ପାଇଁ ସଂଶୋଧିତ ସଂଖ୍ୟାକୁ SAMS ପୋର୍ଟାଲରେ ପୂର୍ବରୁ ଅନ୍ତର୍ଭୁକ୍ତ କରାଯାଇଛି । ଷ୍ଟେଟ୍ ପବ୍ଲିକ ୟୁନିଭର୍ସିଟିରେ ୧୨୧୬, ସରକାରୀ କଲେଜରେ ୪, ୬୮୪, ୪୮୮ ବର୍ଗ କଲେଜରେ ୩, ୪୧୬ ଏବଂ ୬୬୨-ବର୍ଗ କଲେଜରେ ୧,୦୫୬ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି । ସମଗ୍ର ରାଜ୍ୟରେ ମୋଟ ୧୦ ହଜାର ୩୭୨ ସିଟ୍ ସଂଖ୍ୟା ବୃଦ୍ଧି ପାଇଛି ।