ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଆଇଆଇସି ସୁଜିତ କୁମାର ଦାସଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ଅଭିଯୋଗକୁ ନେଇ ନୂଆ ମୋଡ଼ ଦେଖାଦେଇଛି। ଏହି ଘଟଣାରେ ପ୍ରଥମଥର ପାଇଁ ମୁହଁ ଖୋଲି ସୁଜିତ ଦାସ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ସେ କହିଛନ୍ତି ଯେ, ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଉଦ୍ଦେଶ୍ୟପ୍ରଣୋଦିତ। ଅଭିଯୋଗକାରୀ ମହିଳାଙ୍କର ଗ୍ରାମବାସୀଙ୍କ ସହ ଜମିଜମାକୁ ନେଇ ବିବାଦ ରହିଥିଲା। ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ସେହି ଘଟଣାକୁ ନେଇ ରାଗ ରଖି ମହିଳା ଏଭଳି ଅଭିଯୋଗ ଆଣିଥିବା ସେ ଦାବି କରିଛନ୍ତି।
ଅନ୍ୟପଟେ, ଘଟଣାକୁ ଗୁରୁତ୍ୱର ସହ ନେଇ ସୁଜିତ କୁମାର ଦାସଙ୍କୁ ଥାନା ଦାୟିତ୍ୱରୁ ହଟାଯାଇଛି। ମାମଲାର ତଦନ୍ତ ଦାୟିତ୍ୱ ନୟାଗଡ଼ ଡିଏସପି ସଂଘମିତ୍ରା ନାୟକଙ୍କୁ ଦିଆଯାଇଛି। ଏହାସହ ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ପାଇଁ ମାମଲାକୁ ରାଜ୍ୟ ଅପରାଧ ବିରୋଧୀ ମହିଳା ଓ ଶିଶୁ ଶାଖାକୁ ହସ୍ତାନ୍ତର କରିବା ନେଇ କେନ୍ଦ୍ରାଞ୍ଚଳ ଆଇଜି ଡିଜିପିଙ୍କୁ ସୁପାରିସ କରିଛନ୍ତି। ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଥିବା ବେଳେ ସତ୍ୟ କ’ଣ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।