କେନ୍ଦୁଝର: ଜ୍ୟୋତିଷ ପରିଚୟ ଦେଇ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟି ନେଲେ ଦୁର୍ବୃତ୍ତ । ସୁନା ଚେନ୍ ଓହ୍ଲାଇ ଦିଅ ନ ହେଲେ ତୁମ ପୁଅର କ୍ଷତି ହେବ କହି ଚେନ୍ ନେଇ ଫେରାର ଲୁଟେରା । କେନ୍ଦୁଝର ଟାଉନ ଥାନା ମାଇନିଂ ରୋଡରେ ଜଣେ ମହିଳାଙ୍କ ବେକରୁ ଏମିତିତ ଅଭିନବ ଉପାୟରେ ଲୁଟ୍ ହୋଇଛି ।
ଅଭିଯୋଗକାରିଣୀ ଦିପ୍ତିରାଣୀ ସାହୁଙ୍କ ଅଭିଯୋଗ ଅନୁସାରେ, ସେ ଚାଲିକି ଆସୁଥିବାବେଳେ ଦୁଇ ଅଜଣା ବ୍ୟକ୍ତି ଆସି ପ୍ରଥମେ ନିଜକୁ ଜ୍ୟୋତିଷ ବୋଲି ପରିଚୟ ଦେଇଥିଲେ । ଏହା ପରେ ତାଙ୍କ ମୁହଁରେ କିଛି ତରଳ ପଦାର୍ଥ ଛିଞ୍ଚିଥିଲେ ଏବଂ ୪୧ ପାଦ ଚାଲିବାକୁ କହିଥିଲେ । ମହିଳାଙ୍କୁ ସୁନା ଚେନ୍ ଖୋଲିବାକୁ କହିଥିଲେ ଏବଂ ଚେନ୍ ନ ଖୋଲିଲେ ତୁମ ପୁଅର କ୍ଷତି ହେବ ବୋଲି କହିଥିଲେ । ମହିଳା ଜଣକ ସେମାନଙ୍କ କଥା ଅନୁସାରେ ସୁନା ଚେନକୁ ଖୋଲି ବ୍ୟାଗରେ ରଖିଥିଲେ । ଆଉ ୪୦ ପାଦ ଚାଲିବା ପରେ ପଛକୁ ଫେରି ଚାହିଁବା ବେଳେକୁ ତାଙ୍କ ହାତରେ ଆଉ ବ୍ୟାଗ ନ ଥିଲା । ମହିଳା ଜଣକ କିଛି ଜାଣିବା ପୂର୍ବରୁ ସେ ଦୁଇ ଦୁର୍ବୁତ୍ତ ସେ ସ୍ଥାନ ରୁ ପଳାଇ ଯାଇଥିଲେ। ଏହି ଲୁଟ୍ ନେଇ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଓ ସ୍ଥାନୀୟ ଲୋକଙ୍କୁ କହିବା ପରେ ଲୋକ ଭିଡ଼ ହୋଇଥିଲେ । ପ୍ରାୟ ଅଢ଼େଇ ଭରିର ସୁନା ଚେନ୍ ନେଇ ଯାଇଥିଲେ । ପାଣି ଛିଞ୍ଚିବା ପରେ ସେ କିଛି ଜାଣିପାରିନଥିବା କହିଛନ୍ତି ।
ଏନେଇ ପୋଲିସରେ ଅଭିଯୋଗ ପରେ ପୋଲିସ ପହଞ୍ଚି ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଘଟଣାର ଛାନଭିନ ଆରମ୍ଭ କରିଛି ।