ପୁରୀ: ଯଦି ପୁରୀ ଆସୁଛନ୍ତି ତେବେ ସାବଧାନ ହୁଅନ୍ତୁ । କାରଣ ପୁରୀରେ ନକଲି ଗୁମାସ୍ତା ବୁଲୁଛନ୍ତି । ଯେଉଁମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରାଇଦେବେ କହି ଭକ୍ତଙ୍କୁ ଲୁଟୁଛନ୍ତି । ଗତ ୫ ଦିନ ମଧ୍ୟରେ ୧୧ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ।
ଏସପିଙ୍କ ସୂଚନା ଅନୁସାରେ, ଶ୍ରୀମନ୍ଦିର ବାହାରେ କିଛି ଅସାଧୁ ଲୋକ ଜଗା ଦର୍ଶନ କରାଇ ଦେବାକୁ କହି ଭକ୍ତଙ୍କଠାରୁ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା । ସେମାନଙ୍କୁ ଧରିବାକୁ ପୁରୀ ପୋଲିସ ଏକ ଯୋଜନା ପ୍ରସ୍ତୁତ କରିଥିଲା । କିଛି ସାଧା ପୋଷାକଧାରୀ ପୋଲିସଙ୍କୁ ଶ୍ରୀମନ୍ଦିର ବାହାରେ ନିଯୁକ୍ତ କରାଯାଇଥିଲା । ଏହାରି ମଧ୍ୟରେ ୫ ଦିନ ମଧ୍ୟରେ ୧୧ ଜଣ ନକଲି ଗୁମାସ୍ତାଙ୍କୁ ସିଂହଦ୍ୱାର ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଶଙ୍କର ବିଶ୍ୱାଳ, ଅରୁଣା ପାତ୍ର, ବାବୁନି ମହାପାତ୍ର, ସର୍ବେଶ୍ୱର ରାଉତ, ରଣଜିତ୍ ସମନ୍ତାରାୟ, ବିକ୍ରମ ପ୍ରଧାନ, ଅଜୟ କୁମାର ଜେନା ଓ ଉମାକାନ୍ତ ପାଢ଼ୀ । ସମସ୍ତଙ୍କୁ ଗିରଫ କରାଯାଇ କୋର୍ଟ ଫରୱାର୍ଡ କରାଯାଇଛି ।
ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସେପରି କିଛି ବ୍ୟବସ୍ଥା ନାହିଁ । ତେଣୁ ନକଲି ଗୁମାସ୍ତାଙ୍କ ଦ୍ୱାରା ପ୍ରଭାବିତ ନ ହେବାକୁ ଏସପି ପରାମର୍ଶ ଦେଇଛନ୍ତି ।