ଆମେରିକା ଏବଂ ଇରାନ ମଧ୍ୟରେ ଏହି ସପ୍ତାହରେ ଚୁକ୍ତି ହେବା ପରେ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍କୁ ପୁଣି ଥରେ ଖୋଲି ଦିଆଯାଇଛି। ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ ବିଶ୍ୱକୁ ତୈଳ ସଙ୍କଟରୁ ବାହାରିବା ପାଇଁ ଏବେ ବି ଅନେକ ସମୟ ଲାଗିପାରେ। ପ୍ରାୟ ଚାରି ମାସ ଧରି ମଧ୍ୟପ୍ରାଚ୍ୟ ରୁ ତେଲ ଯୋଗାଣ ପ୍ରଭାବିତ ହୋଇ ରହିଥିଲା। ଆନାଲିଟିକ୍ସ କମ୍ପାନୀ 'କେପଲର' (Kpler) ଅନୁଯାୟୀ, ଏହି ସମୟ ମଧ୍ୟରେ ସାରା ଦୁନିଆକୁ ମୋଟ ୧.୧୫ ଅରବ ବ୍ୟାରେଲ୍ ତେଲର ଅଭାବ ସହିବାକୁ ପଡ଼ିଛି। ଏହାଦ୍ୱାରା ଆନ୍ତର୍ଜାତୀୟ ତୈଳ ବଜାର ଉପରେ ପ୍ରବଳ ଚାପ ସୃଷ୍ଟି ହୋଇଛି।
ଆନ୍ତର୍ଜାତୀୟ ଶକ୍ତି ସଂସ୍ଥା ଅନୁଯାୟୀ, ବିଶ୍ୱର ରଣନୀତିକ ତୈଳ ମହଜୁଦ ୧୯୯୦ ମସିହା ପରଠାରୁ ସବୁଠାରୁ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଆମେରିକାର ଜରୁରୀକାଳୀନ ତୈଳ ମହଜୁଦ ମଧ୍ୟ ୪୩ ବର୍ଷର ସବୁଠାରୁ ନିମ୍ନ ସ୍ତରରେ ରହିଛି। ଅନେକ ଦେଶର ବ୍ୟବସାୟିକ ତୈଳ ସଂରକ୍ଷଣ ମଧ୍ୟ ଦ୍ରୁତ ଗତିରେ କମିଛି। ଜି-୭ (G7) ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଯଦି ହୋର୍ମୁଜ୍ ପ୍ରଣାଳୀ ଖୋଲି ନଥାନ୍ତା, ତେବେ ଦୁନିଆର ତୈଳ ମହଜୁଦ ପ୍ରାୟ ଚାରି ସପ୍ତାହ ମଧ୍ୟରେ ଗମ୍ଭୀର ସଙ୍କଟରେ ପହଞ୍ଚି ଯାଇଥାନ୍ତା।
ତେଲ ମୂଲ୍ୟ ବଢ଼ିବା ଆଶଙ୍କା
ଯୁଦ୍ଧ ସମୟରେ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ୍ ପ୍ରତି ୧୨.୪୧ ଡଲାରରେ ପହଞ୍ଚି ଯାଇଥିଲା। କିନ୍ତୁ ଆମେରିକା-ଇରାନ ଚୁକ୍ତି ପରେ ଏହି ମୂଲ୍ୟ ହ୍ରାସ ପାଇ ବ୍ୟାରେଲ୍ ପ୍ରତି ୮୦ ଡଲାରରୁ ତଳକୁ ଖସି ଆସିଛି। ଏହା ସତ୍ତ୍ୱେ ଅନେକ ବିଶେଷଜ୍ଞଙ୍କ ମତରେ ଆଗକୁ ତେଲ ଦର ପୁଣି ବଢ଼ିପାରେ।
ବିଗତ କିଛି ମାସ ମଧ୍ୟରେ ବିଶ୍ୱର ତୈଳ ଭଣ୍ଡାରରୁ ପ୍ରାୟ ୧୯ କୋଟି ବ୍ୟାରେଲ୍ ତେଲ କମି ସାରିଛି। ଆମେରିକାର ଓକ୍ଲାହୋମାସ୍ଥିତ କୁଶିଙ୍ଗ ଅଏଲ୍ ହବ୍ ସମେତ ଦୁନିଆର ଅନେକ ବଡ଼ ବଡ଼ ଷ୍ଟୋରେଜ୍ ସେଣ୍ଟର ଚାପରେ ରହିଛନ୍ତି। ସେଠାରେ ତେଲର ସ୍ତର ଏତେ ତଳକୁ ଖସିଯାଇଛି ଯେ ଯୋଗାଣ ବଜାୟ ରଖିବା ମୁସ୍କିଲ୍ ହେବାରେ ଲାଗିଛି।
ସଙ୍କଟ ତୁରନ୍ତ କାହିଁକି ହଟିବ ନାହିଁ?
ହୋର୍ମୁଜ୍ ପ୍ରଣାଳୀ ଖୋଲିଯାଇଛି ସତ, କିନ୍ତୁ ତେଲ ତୁରନ୍ତ ବଜାରରେ ପହଞ୍ଚିବ ନାହିଁ। ପ୍ରଥମେ ସାମୁଦ୍ରିକ ପଥଗୁଡ଼ିକୁ ସୁରକ୍ଷିତ କରିବାକୁ ହେବ, ଟ୍ୟାଙ୍କରଗୁଡ଼ିକୁ ଫେରାଇ ଆଣିବାକୁ ହେବ, ତେଲ ଉତ୍ପାଦନ ବଢ଼ାଇବାକୁ ହେବ ଏବଂ ତା'ପରେ ତେଲକୁ ଦୁନିଆର ବିଭିନ୍ନ ଦେଶରେ ପହଞ୍ଚାଇବାକୁ ପଡ଼ିବ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ପାଇଁ ଅନେକ ମାସ ସମୟ ଲାଗିପାରେ।
କିଛି ବିଶେଷଜ୍ଞଙ୍କ ମତରେ ବଜାର ବର୍ତ୍ତମାନ ଅତ୍ୟଧିକ ଆଶାବାଦୀ ରହିଛି ଏବଂ ତେଲର ପ୍ରକୃତ ଅଭାବକୁ ଅଣଦେଖା କରୁଛି। ଅନ୍ୟପକ୍ଷରେ, ଅନ୍ୟ କେତେକ ବିଶେଷଜ୍ଞ କହିଛନ୍ତି ଯେ ଓପେକ୍ (OPEC) ଦେଶଗୁଡ଼ିକ ଉତ୍ପାଦନ ବଢ଼ାଇବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି, ଯାହାଫଳରେ ଆଗାମୀ ସମୟରେ ଯୋଗାଣରେ ସୁଧାର ଆସିପାରେ।