ପୁରୀ: ଚନ୍ଦନଯାତ୍ରାର ଶେଷ ପର୍ଯ୍ୟାୟରେ ଆଜି ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିବ ଏକ ବିରଳ ଓ ଆକର୍ଷଣୀୟ ଦେବନୀତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ‘ରାଜେନ୍ଦ୍ରାଭିଷେକ’ ନୀତିକୁ ନେଇ ଶ୍ରୀମନ୍ଦିରରେ ଭକ୍ତି ଓ ପରମ୍ପରାର ଅନନ୍ୟ ସମାଗମ ସୃଷ୍ଟି ହୋଇଛି। ରଥଯାତ୍ରା ପୂର୍ବରୁ ହେଉଥିବା ଏହି ସ୍ୱତନ୍ତ୍ର ନୀତି ଶ୍ରୀମନ୍ଦିରର ପୁରାତନ ପରମ୍ପରା ଓ ଲୀଳାର ଏକ ଜୀବନ୍ତ ଉଦାହରଣ।
ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରଦାନ କରାଯିବ। ଆଜ୍ଞାମାଳ ପାଇବା ପରେ ଶ୍ରୀକୃଷ୍ଣଙ୍କ ପ୍ରତିନିଧି ବିଗ୍ରହ ମଦନମୋହନ ରତ୍ନସିଂହାସନରୁ ଖଟ ଉପରକୁ ବିଜେ କରିବେ। ଏହାପରେ ଶ୍ରୀମନ୍ଦିରର ଜୟ-ବିଜୟ ଦ୍ୱାର ବନ୍ଦ କରାଯାଇ ଜଗମୋହନକୁ ଅନ୍ଧାର କରାଯିବ। ଗୁପ୍ତ ପରମ୍ପରା ଓ ଆଧ୍ୟାତ୍ମିକ ରହସ୍ୟରେ ଭରିଥିବା ଏହି ନୀତି ଭକ୍ତମାନଙ୍କ ମନରେ ସବୁବେଳେ ଉତ୍ସୁକତା ସୃଷ୍ଟି କରିଥାଏ।
‘ଆଲଟ ଲାଗି’ ନୀତି ଶେଷ ହେବା ପରେ ପରମ୍ପରା ଅନୁଯାୟୀ ରାଜଦୂତ ବା ‘ଡଗର’ ଆସି ମଦନମୋହନଙ୍କ ସମ୍ମୁଖରେ ମାତା ରୁକ୍ମିଣୀଙ୍କ ବିବାହ ପ୍ରସ୍ତାବ ଉପସ୍ଥାପନ କରିବେ। ଏହି ଘଟଣା ଆସନ୍ତାକାଲି ପାଳିତ ହେବାକୁ ଥିବା ରୁକ୍ମିଣୀ ବିବାହ ଉତ୍ସବର ଆରମ୍ଭିକ ଅଧ୍ୟାୟ ବୋଲି ମନାଯାଏ।
ରାଜେନ୍ଦ୍ରାଭିଷେକ ନୀତି ସମାପନ ପରେ ଏକ ସୁସଜ୍ଜିତ ରଥରେ ବିରାଜମାନ କରିବେ ମଦନମୋହନ। ଘଣ୍ଟ, କାହାଳୀ, ଛତା, ପଟୁଆ ଓ ଶଙ୍ଖଧ୍ୱନିର ମହାନାଦ ମଧ୍ୟରେ ସେ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିବେ। ଭକ୍ତମାନଙ୍କ ହରିବୋଲ ଓ ହୁଳହୁଳି ଧ୍ୱନିରେ ସମଗ୍ର ଶ୍ରୀକ୍ଷେତ୍ର ଭକ୍ତିରସରେ ଭିଜିଉଠିବ।
ଏପଟେ ରଥଯାତ୍ରା ଆଉ ମାତ୍ର କିଛି ଦିନ ଦୂରରେ ଥିବାବେଳେ ରଥଖଳାରେ ଜୋରଦାର ଭାବେ ଆଗେଇ ଚାଲିଛି ରଥନିର୍ମାଣ କାର୍ଯ୍ୟ। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରଥଖଳା ପରିଦର୍ଶନ କରିବେ। ତେଣୁ ଆଜିର ଦିନଟି ଶ୍ରୀକ୍ଷେତ୍ର ପାଇଁ ଭକ୍ତି, ପରମ୍ପରା ଓ ରଥଯାତ୍ରା ପ୍ରସ୍ତୁତିର ଏକ ସ୍ମରଣୀୟ ଅଧ୍ୟାୟ ହୋଇ ରହିବ।