ଯାଜପୁର: ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ଯଖପୁରା ଥାନା ଦଶମାଣିଆ ଅଞ୍ଚଳର ଅର୍ଜୁନ ପ୍ରଧାନ ଓ ଭୋଳା ପ୍ରଧାନ। ସେମାନଙ୍କ ନିକଟରୁ ଗୋଟିଏ ଅସଲି ବନ୍ଧୁକ, ଗୋଟିଏ ନକଲି ବନ୍ଧୁକ, କିଛି ଖୋକା, ଦୁଇଟି ବାଇକ୍ ଏବଂ ଦୁଇଟି ମୋବାଇଲ ଫୋନ୍ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଦିନ ତଳେ କୋରେଇ ଥାନା ପୂର୍ବକୋଟ ଅଞ୍ଚଳରେ ଏହି ଗୁଳିମାଡ଼ ଘଟଣା ଘଟିଥିଲା। ଅଭିଯୁକ୍ତମାନେ ବାଇକ୍ରେ ଦୁଇ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।
ମାମଲା ରୁଜୁ ହେବା ପରେ କୋରେଇ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳ ଏବଂ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରି ପୁଲିସ ଅଭିଯୁକ୍ତମାନଙ୍କ ଗତିବିଧି ସମ୍ପର୍କରେ ସୁରାକ ପାଇଥିଲା। ପରେ ସ୍ୱତନ୍ତ୍ର ଟିମ୍ ଗଠନ କରି ପୁରୀରେ ଚଢ଼ାଉ କରାଯାଇ ଦୁହିଁ ଅଭିଯୁକ୍ତଙ୍କୁ କାବୁ କରାଯାଇଥିଲା।
କୋରେଇ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିତିକଣ୍ଠ କାନୁନଗୋ ଏହି ସୂଚନା ଦେଇଛନ୍ତି। ଘଟଣାରେ ଆହୁରି କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।