ପୁଣେ: ଇନ୍ଦୋରର ସୋନମ୍ ରଘୁବଂଶୀ ଭଳି ଆଉ ଜଣେ ସୋନମ ବାହାରିଛି ଯାହାର ନାଁ ସିୟା । ଖାଲି ପାର୍ଥକ୍ୟ ଏତିକି, ସେ ସୋନମ୍ ହନିମୁନ ବୁଲିବା ବାହାନାରେ ପ୍ରେମିକ ସହ ମିଶି ସ୍ୱାମୀକୁ ପାହାଡ଼ ତଳକୁ ଠେଲି ଦେଇଥିଲା, ଆଉ ଏଠି ନିଜ ଭାବି ସ୍ୱାମୀକୁ ପାହାଡ଼ ଉପରୁ ଠେଲି ହତ୍ୟା କରିଛି ଭାବି ପତ୍ନୀ ଓ ତାର ପ୍ରେମିକ ।
ମହାରାଷ୍ଟ୍ର ପୁଣେର କେତନ ଅଗ୍ରୱାଲ (୨୪)ଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଏବେ ଭିନ୍ନ ମୋଡ଼ ନେଇଛି । ଏହା ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣା ନୁହେଁ ବରଂ ସୁଚିନ୍ତିତ ଏକ ଷଡ଼ଯନ୍ତ୍ର । ପ୍ରଥମେ ଟ୍ରାକିଂ ସମୟରେ ଅସାବଧାନତା ବଶତଃ କେତନଙ୍କ ଗୋଡ଼ ପାହାଡ଼ରୁ ଖସି ଯାଇଥିବା କୁହାଯାଉଥିଲା । କିନ୍ତୁ ପୋଲିସର ତଦନ୍ତ ଯେତିକି ଆଗକୁ ବଢ଼ିଥିଲା ଏହି ରହସ୍ୟମୟ ମୃତ୍ୟୁ ଉପରକୁ ପରଦା ହଟି ଚାଲିଥିଲା । କେତନଙ୍କୁ ୩୫୦ ଫୁଟ୍ ତଳକୁ ଠେଲି ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି । ତାଙ୍କ ଭାବି ପତ୍ନୀ ସିୟା ଗୋୟଲ ଏବଂ ତାଙ୍କର ଆଉ ଜଣେ ପୁରୁଷ ବନ୍ଧୁ ଚେତନ ଚୌଧୁରୀ ମିଳିମିଶି ଏହି ଷଡ଼ଯନ୍ତ୍ରକୁ ହତ୍ୟାର ରୂପ ଦେଇଛନ୍ତି ।
ମାସ ପରେ ହୋଇଥାଆନ୍ତା ବିବାହ
କେତନ ଅଗ୍ରୱାଲ ଏବଂ ସିୟା ଗୋୟଲଙ୍କ ମଧ୍ୟରେ ବିବାହ ସ୍ଥିର ହୋଇଥିଲା । ଉଭୟଙ୍କ ନିର୍ବନ୍ଧ ସରିଥିଲା । ଦୁଇ ପରିବାରରେ ଖୁସିର ଲହରି ଖେଳିଯାଇଥିଲା । ଆଉ ଗୋଟିଏ ମାସ ପରେ ଦୁଇ ହୃଦୟର ମିଳନ ହୋଇଥାଆନ୍ତା । ରାଜସ୍ଥାନ ଜୟପୁରରେ ଏକ ରାଜ ପ୍ରାସାଦରେ ଉଭୟଙ୍କର ଭବ୍ୟ ବିବାହ ହୋଇଥାଆନ୍ତା । କିନ୍ତୁ ଏହା ପୂର୍ବରୁ ଖେଳି ଯାଇଛି ଶୋକର ଛାୟା ।
କେତନ ନିଜ ଭାବି ପତ୍ନୀ ସିୟାଙ୍କର ଜନ୍ମଦିନ ପାଳିବାକୁ ଏକ ଯୋଜନା କରିଥିଲେ । ୧୯ ଜୁନରେ ସିୟାଙ୍କର ଜନ୍ମଦିନ ଥିଲା । କେତନ ମହାବଳେଶ୍ୱରରେ ଏକ ରିସର୍ଟ ବୁକ୍ କରିଥିଲେ । ଯେଉଁଥିରେ ୪୦ଟି ରୁମ୍ ବୁକ କରାଯାଇଥିଲା । କିନ୍ତୁ ସେହିଦିନ କେତନଙ୍କ ପାଇଁ ଶେଷ ଦିନ ହେଲା ।
ମେ ୩୧ରୁ ଷଡ଼ଯନ୍ତ୍ର
ମେ ୩୧ରୁ କେତନଙ୍କୁ ରାସ୍ତାରୁ ହଟାଇବାକୁ ସିୟା ଯୋଜନା କରିଥିଲା । ଉଭୟ ଲୋହାଗଡ଼ ବୁଲିବାକୁ ଯାଇଥିଲେ । ସେଠାରେ ବୁଲାବୁଲି କରି ଫେରି ଆସିଥିଲେ । ପୁଣି ଥରେ ୧୪ ଜୁନକୁ ଉଭୟ ଲୋହାଗଡ଼ ଯାଇଥିଲେ । ସିୟା ଘାଟି ଦେଖାଇବାକୁ କେତନକୁ ନେଇ ଯାଇଥିଲା । ମାତ୍ର ସେଦିନ ମଧ୍ୟ ଯୋଜନା ସଫଳ ହୋଇନଥିଲା । ପୁଣି ଥରେ ନିଜ ଜନ୍ମଦିନ ଜୁନ୍ ୧୯ରେ ସିୟା କେତନଙ୍କୁ ଲୋହାଗଡ଼ ବୁଲିବାକୁ କହି ଉଭୟ ଯାଇଥିଲେ । ସେଠାରେ ପୂର୍ବରୁ ସିୟାର ପୁରୁଷ ବନ୍ଧୁ ଚେତନ ଚୌଧୁରୀ ଉପସ୍ଥିତ ଥିଲା । ଯାହା ପରେ ୩୫୦ ଫୁଟ ତଳକୁ କେତନଙ୍କୁ ଧକ୍କା ଦିଆଯାଇଥିବା ପୋଲିସ କହିଛି ।
ପ୍ରଥମେ ଏହାକୁ ଦୁର୍ଘଟଣା ବୋଲି କୁହାଯାଉଥିଲା । କିନ୍ତୁ ତଦନ୍ତ ସମୟରେ ସିୟାର ବ୍ୟବହାର ପୋଲିସର ସନ୍ଦେହ ଘେରକୁ ଆସିଥିଲା । ଏହା ପରେ ପୋଲିସ ସିୟାର ମୋବାଇଲକୁ ଜବତ କରି ସମସ୍ତ ରେକର୍ଡ ବାହାର କରିଥିଲା । କିଛି ମେସେଜରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସ୍ପଷ୍ଟ କରିଛି । ଏହା ସହିତ ଚେତନ ଚୌଧୁରୀ ଓ ସିୟା ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ରହିଥିବା ଜଣାପଡ଼ିଛି । ପୋଲିସ ଉଭୟଙ୍କୁ ଗିରଫ କରି ନିଜ ହେପାଜତକୁ ନେଇଛି ।