ଭୁବନେଶ୍ୱରର ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ମଙ୍ଗଳବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜେଲ୍ ଭିତରେ ଏକାସାଙ୍ଗରେ ୭ ଜଣ ବିଚାରାଧୀନ କଏଦୀ ହଠାତ୍ ଅସୁସ୍ଥ ହୋଇପଡ଼ିବା ପରେ ପୂରା କାରାଗାର ପରିସରରେ ହଡ଼କମ୍ପ ସୃଷ୍ଟି ହୋଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତୁରନ୍ତ ସେମାନଙ୍କୁ ଭୁବନେଶ୍ୱରର ବିଭିନ୍ନ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଗୁରୁତର ଅସୁସ୍ଥ କଏଦୀମାନେ ହେଲେ ସାଜିଦ ଖାନ, ସୀମାଞ୍ଚଳ କୁଞ୍ଜ, ବିକାଶ ପାଇତଲ, ବାବୁଲା ପ୍ରଧାନ ଓ ରୁପୁ ସିଂ। ସାଜିଦ, ସୀମାଞ୍ଚଳ ଓ ବିକାଶଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ବାବୁଲା ଓ ରୁପୁଙ୍କୁ ଏମ୍ସ ଭୁବନେଶ୍ୱରରେ ଚିକିତ୍ସା ଦିଆଯାଉଛି। ଅନ୍ୟ ଦୁଇ ଜଣ କଏଦୀଙ୍କ ଚିକିତ୍ସା ଜେଲ୍ ଚିକିତ୍ସା କେନ୍ଦ୍ରରେ ଚାଲିଛି।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଜେଲ୍ ଭଳି କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ସ୍ଥାନରେ ଏକାସାଙ୍ଗରେ ଏତେ କଏଦୀ କିପରି ଅସୁସ୍ଥ ହେଲେ? ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସେମାନେ ‘ଏମ୍-୧୦’ ନାମକ ନିଶା ଔଷଧ ସେବନ କରିଥିଲେ। ଏହା ଯୋଜନାବଦ୍ଧ ଭାବେ ଖାଇଥିବା ସନ୍ଦେହ କରାଯାଉଛି।
ଘଟଣା ପରେ ଜେଲ୍ ଓ ପୁଲିସ ପ୍ରଶାସନ ସକ୍ରିୟ ହୋଇଉଠିଛି। ଜେଲ୍ ଡିଆଇଜିଙ୍କ ସମେତ ବରିଷ୍ଠ ଅଧିକାରୀମାନେ କାରାଗାରରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ଅନ୍ୟପଟେ ପୁଲିସ ଉପାୟୁକ୍ତ ଜଗମୋହନ ମୀନା କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଡାକ୍ତରମାନଙ୍କ ସହ ଆଲୋଚନା କରିବା ସହ କଏଦୀମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା କରିଛନ୍ତି।
ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସ ପରିସରକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଜେଲ୍ ଭିତରକୁ ନିଶା ଔଷଧ କିପରି ପହଞ୍ଚିଲା, ଏହା ପଛରେ କାହାର ସଂପୃକ୍ତି ରହିଛି ଏବଂ ଏହା କୌଣସି ବଡ଼ ଚକ୍ରାନ୍ତର ଅଂଶ କି ନୁହେଁ, ସେନେଇ ତଦନ୍ତ ଜୋରଦାର ହୋଇଛି। ଏହି ଘଟଣା ଏବେ ଜେଲ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି।