ଭୁବନେଶ୍ୱର: ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ଓଡ଼ିଶାରେ ଆୟୋଜିତ ହୋଇଛି ମଲ୍ଟି ଏଜେନ୍ସି ମାରିଟାଇମ ସିକ୍ୟୁରିଟି ଗ୍ରୁପ ବା ବହୁ-ସଂସ୍ଥା ସାମୁଦ୍ରିକ ସୁରକ୍ଷା ଗୋଷ୍ଠୀ' ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ୮ଟି ରାଜ୍ୟର ପ୍ରତିନିଧି ଯୋଗ ଦେଇଛନ୍ତି । ଉପକୂଳ ସମ୍ବନ୍ଧୀୟ ସମସ୍ୟା, ସାମୁଦ୍ରିକ ଆଇନର ପ୍ରଣୟନ, ଉପକୂଳ ସର୍ଭେଲାନ୍ସ ଉପରେ ଗୁରୁତ୍ୱ ଏବଂ ବନ୍ଦର ଓ ମତ୍ସ୍ୟଜୀବୀଙ୍କ ସୁରକ୍ଷା ଆଲୋଚନା କରାଯାଉଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମର ସମୁଦ୍ର କେବଳ ଏକ ଭୌଗୋଳିକ ସୀମା ନୁହେଁ; ଏହା ବ୍ୟାପକ ସୁଯୋଗ, ସମୃଦ୍ଧି ଏବଂ ଆନ୍ତର୍ଜାତୀୟ ସହଭାଗିତାର ପ୍ରବେଶ ପଥ । ଭାରତ ଆଜି ବିଶ୍ୱରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହେଉଛି। ପ୍ରଥମ ଥର ପାଇଁ ନୂଆଦିଲ୍ଲୀ ବାହାରେ ଓଡ଼ିଶାରେ ଏହି ଉଚ୍ଚସ୍ତରୀୟ ଜାତୀୟ ବୈଠକର ଆୟୋଜନ ହେବା ଦେଶର ସଂଘୀୟ ବ୍ୟବସ୍ଥା ବା Cooperative Federalism ପ୍ରତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ସମୁଦ୍ର, ବନ୍ଦର, ମତ୍ସ୍ୟ ସମ୍ପଦ ଏବଂ ବ୍ଲୁ ଇକୋନୋମି (Blue Economy) ହେଉଛି ଆମର ମହତ୍ତ୍ୱପୂର୍ଣ୍ଣ ଜାତୀୟ ସମ୍ପତ୍ତି। ଏଗୁଡ଼ିକର ସୁରକ୍ଷା କେବଳ ଦେଶର ସୁରକ୍ଷା ପାଇଁ ଜରୁରୀ ନୁହେଁ, ବରଂ ଆର୍ଥିକ ବିକାଶ ଓ ସମୁଦ୍ର ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଉପକୂଳବାସୀଙ୍କ ଜୀବିକାର କଲ୍ୟାଣ ପାଇଁ ଅତ୍ୟନ୍ତ ଜରୁରୀ। ଆଜିର ସମୟରେ ଜଟିଳ ଭିତ୍ତିଭୂମିର ସୁରକ୍ଷା, ସାମୁଦ୍ରିକ କ୍ଷେତ୍ରର ଗୁରୁତ୍ୱ ଉପରେ ଆମର ସଚେତନତା, ସାଇବର ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା ଏବଂ ପରିବେଶ ସୁରକ୍ଷା ଭଳି ଅନେକ ଆହ୍ୱାନ ସାମିଲ ରହିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବଙ୍ଗୋପସାଗର ତଟରେ ଓଡ଼ିଶାର ପ୍ରାୟ ୫୭୫ କିଲୋମିଟର ଦୀର୍ଘ ତଟରେଖା ରହିଛି। ସାଧବ ପୁଅମାନେ ସମୁଦ୍ର ପଥରେ ଦକ୍ଷିଣ-ପୂର୍ବ ଏସିଆର ବିଭିନ୍ନ ଦେଶ ସହ ବ୍ୟାପାର ଓ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲେ । ଯାହାର ଜୀବନ୍ତ ପ୍ରତୀକ ଭାବେ ଆଜି ମଧ୍ୟ ବାଲିଯାତ୍ରା ଉତ୍ସବ ପାଳିତ ହେଉଛି । ବର୍ତ୍ତମାନ ଭାରତର ସାମୁଦ୍ରିକ ବିକାଶ ଗାଥାରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରୁଛି। ରାଜ୍ୟର ସାମୁଦ୍ରିକ ରଣନୀତିକ ସ୍ଥିତିକୁ ଅଧିକ ମଜବୁତ କରିବା ପାଇଁ ଗଞ୍ଜାମଠାରେ ଏକ ଗଭୀର-ସମୁଦ୍ର ବନ୍ଦର ଏବଂ ପାରାଦୀପ ନିକଟରେ ଏକ ସିପ୍ ବିଲ୍ଡିଂ କ୍ଲଷ୍ଟର ନିର୍ମାଣ କରାଯାଉଛି। ଭାରତ ସରକାରଙ୍କ ‘ସାଗର’ (SAGAR- Security and Growth for All in the Region), ‘ଆକ୍ଟ ଇଷ୍ଟ ପଲିସି’, ‘ବିମଷ୍ଟେକ’ (BIMSTEC) ଏବଂ ‘କୋଷ୍ଟାଲ ସିକ୍ୟୁରିଟି ସ୍କିମ ଫେଜ-୩’ ଭଳି ପ୍ରଗତିଶୀଳ ନୀତିକୁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି । ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (AI), ଅନ୍ମ୍ୟାନ୍ଡ ସିଷ୍ଟମ, ଅତ୍ୟାଧୁନିକ ମନିଟରିଂ ନେଟୱାର୍କର ଉପଯୋଗ, ‘ନଭମିତ୍ର’ ଟ୍ରାନ୍ସପଣ୍ଡର ଲଗାଇବା ଏବଂ କୋଷ୍ଟାଲ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ଭଳି କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ତଟ ସୁରକ୍ଷାରେ ନିୟୋଜିତ ସମସ୍ତ ସୁରକ୍ଷାବଳକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ଏହି ବୈଠକରେ ଯୋଗଦେଇ ଜାତୀୟ ମାରିଟାଇମ୍ ସୁରକ୍ଷା ସମନ୍ୱୟକାରୀ (NMSC) ଅବସରପ୍ରାପ୍ତ ଭାଇସ୍ ଆଡମିରାଲ୍ ବିଶ୍ୱଜିତ୍ ଦାସଗୁପ୍ତା କହିଛନ୍ତି ଯେ, ସାମୁଦ୍ରିକ ସୁରକ୍ଷା ପାଇଁ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ମଡେଲ ଖୋଜିବା ଅତ୍ୟନ୍ତ କଷ୍ଟକର । ଏଥିପାଇଁ ବିଭିନ୍ନ ମଡେଲକୁ ନେଇ ଏକ ସୁଚିନ୍ତିତ ରଣନୈତିକ ଢାଞ୍ଚା ପ୍ରସ୍ତୁତ କରିବା ଆବଶ୍ୟକ। ସେହିପରି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ସାମୁଦ୍ରିକ ସୁରକ୍ଷା କେବଳ ସାମରିକ ବା ସୁରକ୍ଷାଗତ ଦିଗ ମଧ୍ୟରେ ସୀମିତ ନୁହେଁ । କେବଳ ମୁଖ୍ୟ ଉପକୂଳ ଅଞ୍ଚଳ ନୁହେଁ, ବରଂ ସମୁଦ୍ର ମଧ୍ୟରେ ଥିବା ଦ୍ୱୀପଗୁଡ଼ିକର (Islands) ସୁରକ୍ଷା ଏବଂ ବିକାଶ ଉପରେ ମଧ୍ୟ ସମାନ ଭାବେ ଗୁରୁତ୍ୱ ଦିଆଯିବା ଉଚିତ।
ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆଙ୍କ ସମେତ ଉପକୂଳବର୍ତ୍ତୀ ରାଜ୍ୟର ସାମୁଦ୍ରିକ ସୁରକ୍ଷା ସମନ୍ୱୟକାରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରମୁଖ ଉପସ୍ଥିତ ଥିଲେ।