ନୂଆଦିଲ୍ଲୀ: କେନ୍ଦ୍ର ରାଜନୀତିରୁ ଏବେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଦିଲ୍ଲୀର କ୍ଷମତା କରିଡରରେ ଏବେ ଜୋରଦାର ହଲଚଲ ଆରମ୍ଭ ହୋଇଯାଇଛି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଏକ ବଡ଼ ଧରଣର ଅଦଳବଦଳ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଥମେ ଜଣେ କେନ୍ଦ୍ର ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବା ଏବଂ ତା’ର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପରେ ଏହି ସସପେନ୍ସ ଆହୁରି ବଢ଼ିଯାଇଛି।
କେରଳର ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଅନ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଗତ ଜୁନ୍ ୨୧ ରେ ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ଶେଷ ହୋଇଥିଲା ଏବଂ ଦଳ ତାଙ୍କୁ ଆଉ ଥରେ ରାଜ୍ୟସଭାକୁ ନପଠାଇବା ପାଇଁ ନିଷ୍ପତ୍ତି ନେଇଥିଲା। ଫଳରେ ସେ ନିଜର ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀଙ୍କୁ ସମର୍ପଣ କରିଥିଲେ, ଯାହାକୁ ରାଷ୍ଟ୍ରପତି ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି।
ତେବେ ଏହି ଇସ୍ତଫାର କିଛି ସମୟ ପରେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିଥିଲେ। ଯଦିଓ ସରକାରୀ ସୂତ୍ରରୁ ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତକାର କୁହାଯାଉଛି, କିନ୍ତୁ ରାଜନୈତିକ ସମୀକ୍ଷକଙ୍କ ଅନୁଯାୟୀ, ଆଗକୁ ହେବାକୁ ଥିବା କ୍ୟାବିନେଟ୍ ସମ୍ପ୍ରସାରଣ ଏବଂ ପୋର୍ଟଫୋଲିଓ ବଣ୍ଟନକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି।
ଆଉ କେଉଁ କେଉଁ ମନ୍ତ୍ରୀ ହରାଇ ପାରନ୍ତି ପଦ ?
ଜର୍ଜ କୁରିଅନଙ୍କ ବ୍ୟତୀତ ଆଉ କେତେକ ମନ୍ତ୍ରୀ ମଧ୍ୟ ମନ୍ତ୍ରୀ ପଦରୁ ବିଦା ହେବା ନେଇ ଚର୍ଚ୍ଚା ହେଉଛି, ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁଙ୍କ ରାଜ୍ୟସଭା କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ତାଙ୍କୁ ମଧ୍ୟ ଦଳ ପୁନର୍ବାର ସୁଯୋଗ ଦେଇନଥିବାରୁ ସେ ମଧ୍ୟ ଇସ୍ତଫା ଦେଇପାରନ୍ତି। ଏହି ଦୁଇ ଜଣ କେନ୍ଦ୍ର ମନ୍ତ୍ରୀଙ୍କୁ ବିଜେପି ସଂଗଠନରେ ବଡ଼ ଦାୟିତ୍ୱ (ୟୁପି ଏବଂ ଦିଲ୍ଲୀର ପ୍ରଦେଶ ସଭାପତି) ମିଳିଥିବାରୁ 'ଜଣେ ବ୍ୟକ୍ତି, ଗୋଟିଏ ପଦ' ନୀତି ଅନୁସାରେ ସେମାନଙ୍କୁ ମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିପାରେ।