ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଶକ୍ତିଶାଳୀ ଯୁଦ୍ଧବିମାନ 'ରାଫେଲ୍'କୁ ନେଇ ପାକିସ୍ତାନର ମିଛ ଦାବିର ପର୍ଦ୍ଦାଫାଶ ହେବା ପରେ ଏବେ ଦେଶରେ ରାଜନୀତି ଗରମ ହେବାରେ ଲାଗିଛି। 'ଅପରେସନ୍ ସିନ୍ଦୂର' ସମୟରେ ଭାରତର ରାଫେଲ୍ ବିମାନକୁ ଖସାଇ ଦେଇଥିବା ନେଇ ପାକିସ୍ତାନ ଯେଉଁ ଦାବି କରିଥିଲା, ତାହା ସମ୍ପୂର୍ଣ୍ଣ ମିଛ ବୋଲି ବାୟୁସେନାର ଏକ ସରକାରୀ ଦସ୍ତାବିଜରୁ ସ୍ପଷ୍ଟ ହୋଇଛି। ଏହି ଖୁଲାସା ପରେ ବିଜେପି ଏବେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଘେରିବା ଆରମ୍ଭ କରିଛି। ରାଫେଲ୍କୁ ନେଇ ପୂର୍ବରୁ ଦେଇଥିବା ବିବାଦୀୟ ବୟାନ ପାଇଁ ରାହୁଲ ଗାନ୍ଧୀ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି।
ଏହି ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଜେପି ପ୍ରବକ୍ତା ପ୍ରଦୀପ ଭଣ୍ଡାରୀ କହିଛନ୍ତି ଯେ, ରାହୁଲ ଗାନ୍ଧୀ ସେତେବେଳେ ପାକିସ୍ତାନର ସ୍ୱରରେ ସ୍ୱର ମିଳାଇ ଦେଶକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। ସେ କହିଛନ୍ତି, ଯେତେବେଳେ ସୀମାରେ 'ଅପରେସନ୍ ସିନ୍ଦୂର' ଚାଲିଥିଲା, ସେତେବେଳେ ରାହୁଲ ଗାନ୍ଧୀ ପ୍ରଶ୍ନ କରିଥିଲେ ଯେ ହିନ୍ଦୁସ୍ତାନର କେତେଟା ରାଫେଲ୍ କ୍ରାସ୍ ହୋଇଛି ? କେବଳ ସେତିକି ନୁହେଁ, ୟୁପି କଂଗ୍ରେସ ସଭାପତି ଅଜୟ ରାୟ ମଧ୍ୟ ଲେମ୍ବୁ-ଲଙ୍କା ଦେଖାଇ ରାଫେଲ୍ ବିମାନକୁ ପରିହାସ କରିଥିଲେ।
ଭଣ୍ଡାରୀ ଆହୁରି କହିଛନ୍ତି ଯେ, ଭାରତୀୟ ବାୟୁସେନା (IAF)ର ମେଣ୍ଟେନାନ୍ସ ଅର୍ଡରରୁ ଏହା ସଫା ସ୍ପଷ୍ଟ ହୋଇଛି ଯେ ଭାରତର ଗୋଟିଏ ହେଲେ ବି ରାଫେଲ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇନାହିଁ। ଏଭଳି ପରିସ୍ଥିତିରେ ରାହୁଲ ଗାନ୍ଧୀ ଜାଣିଶୁଣି କାହିଁକି ଶତ୍ରୁଦେଶ ପାକିସ୍ତାନର ମିଛ ପ୍ରଚାରକୁ ଭାରତରେ ଆଗକୁ ବଢ଼ାଉଥିଲେ, ତାହାର ଜବାବ ସେ ଦିଅନ୍ତୁ ଏବଂ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ।
ବିଜେପିର ସାଂଘାତିକ ଅଭିଯୋଗ: 'ରାହୁଲ ସର୍ବଦା ଦେଶ ବିରୋଧୀ ଲାଇନରେ'
ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ବିଜେପି ପ୍ରବକ୍ତା ପୁରୁଣା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ଶାସନ କାଳରେ ଯେତେବେଳେ ମୁମ୍ବାଇରେ ୨୬/१୧ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ସେତେବେଳେ ଭାରତୀୟ ସେନା ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହୁଁଥିଲା, କିନ୍ତୁ କଂଗ୍ରେସ ସରକାର ସେନାକୁ ଅଟକାଇଥିଲେ।ଚୀନ ସହ ସଂଘର୍ଷ ସମୟରେ ଯେତେବେଳେ ଭାରତୀୟ ଯବାନମାନେ ଶତ୍ରୁ ସେନାକୁ ମୁହଁତୋଡ଼ ଜବାବ ଦେଇଥିଲେ, ସେତେବେଳେ ରାହୁଲ ଗାନ୍ଧୀ କହିଥିଲେ ଯେ ଆମ ଯବାନମାନେ ସେଠାରେ ମାଡ଼ ଖାଉଛନ୍ତି।