ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍-୨୦୨୬ରେ କଙ୍ଗାରୁ ଦଳର ଦମଦାର ପ୍ରଦର୍ଶନ ଭାରତୀୟ ଶିବିରରେ ଚିନ୍ତା ବଢ଼ାଇ ଦେଇଛି। ପାକିସ୍ତାନକୁ ବଡ଼ ବ୍ୟବଧାନରେ ପରାସ୍ତ କରି ଅଷ୍ଟ୍ରେଲିଆ ସେମିଫାଇନାଲ ଆଡ଼କୁ ମଜବୁତ ପାଦ ପକାଇଛି। ହେଲେ ଅଷ୍ଟ୍ରେଲିଆର ଏହି ବିଜୟ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପାଇଁ ସମୀକରଣକୁ କଠିନ କରିଦେଇଛି। ଏବେ ଟୁର୍ନାମେଣ୍ଟରେ ଆଗକୁ ବଢ଼ିବାକୁ ହେଲେ ଟିମ୍ ଇଣ୍ଡିଆ ପାଇଁ ବାକି ଥିବା ଦୁଇଟି ଯାକ ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି।
ପଏଣ୍ଟ ଟେବୁଲର ଗ୍ରୁପ୍-ଏ' କୁ ଦେଖିଲେ, ଭାରତ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍ରୁ ୨ଟି ବିଜୟ ସହ ୪ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଉପରକୁ ଦେଖିଲେ ଏହି ସ୍ଥିତି ଭଲ ମନେହେଉଥିଲେ ବି ସେମିଫାଇନାଲର ରାସ୍ତା ଏତେ ସହଜ ନୁହେଁ। ଅଷ୍ଟ୍ରେଲିଆ ଦଳ ନିଜର ପ୍ରାରମ୍ଭିକ ୪ଟି ଯାକ ମ୍ୟାଚ୍ ଜିତି ୮ ପଏଣ୍ଟ ସହ ସେମିଫାଇନାଲ ଟିକେଟ୍ ପ୍ରାୟତଃ ପକ୍କା କରିସାରିଛି। ଏବେ ଭାରତକୁ ତାର ବାକି ଦୁଇଟି ମ୍ୟାଚ୍ରେ ବାଂଲାଦେଶ ଏବଂ ଅଷ୍ଟ୍ରେଲିଆ ସହ ଲଢ଼ିବାକୁ ପଡ଼ିବ। ଏଥିମଧ୍ୟରୁ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଭାରତ ପାଇଁ ସବୁଠୁ ବଡ଼ ପରୀକ୍ଷା ହେବ। ଯଦି ଭାରତ ଏହି ଦୁଇଟି ମ୍ୟାଚ୍ରୁ ଗୋଟିଏ ବି ହାରିଯାଏ, ତେବେ ସେମିଫାଇନାଲ ସ୍ୱପ୍ନ ଧୂଳିସାତ ହୋଇଯାଇପାରେ।
ଦକ୍ଷିଣ ଆଫ୍ରିକା ପାଲଟିପାରେ ବଡ଼ କଣ୍ଟା
ଭାରତର ସେମିଫାଇନାଲ ରାସ୍ତାରେ ସବୁଠୁ ବଡ଼ ପ୍ରତିବନ୍ଧକ ସାଜିପାରେ ଦକ୍ଷିଣ ଆଫ୍ରିକା। ପ୍ରୋଟିଆଜ୍ ଦଳର ବାକି ଥିବା ମ୍ୟାଚ୍ ଗୁଡ଼ିକ ନେଦରଲ୍ୟାଣ୍ଡ ଏବଂ ବାଂଲାଦେଶ ବିପକ୍ଷରେ ଅଛି। କାଗଜପତ୍ର ହିସାବରେ ଦକ୍ଷିଣ ଆଫ୍ରିକା ଏହି ଦୁଇ ଦଳଠାରୁ ଯେ ବହୁତ ଶକ୍ତିଶାଳୀ, ଏଥିରେ କୌଣସି ସନ୍ଦେହ ନାହିଁ। ଯଦି ଆଫ୍ରିକୀୟ ଦଳ ନିଜର ଦୁଇଟି ଯାକ ମ୍ୟାଚ୍ ଜିତିନିଏ, ତେବେ ସେ ଭାରତକୁ ପଛରେ ପକାଇ ଦେଇପାରେ। ତେଣୁ ଟିମ୍ ଇଣ୍ଡିଆକୁ କେବଳ ମ୍ୟାଚ୍ ଜିତିଲେ ହେବନି, ବରଂ ରନ୍ ରେଟ୍କୁ ମଧ୍ୟ ବହୁତ ଭଲ ରଖିବାକୁ ହେବ।
ଜାଣନ୍ତୁ କେବେ ଏବଂ କେଉଁଠି ହେବ ଭାରତର ପରବର୍ତ୍ତୀ ମ୍ୟାଚ୍
ଭାରତୀୟ ମହିଳା ବ୍ରିଗେଡ୍ ଆସନ୍ତା ୨୫ ଜୁନ୍ରେ ମ୍ୟାଞ୍ଚେଷ୍ଟରଠାରେ ବାଂଲାଦେଶକୁ ଭେଟିବ। ଏହାପରେ ୩୦ ଜୁନ ଲର୍ଡସର ଐତିହାସିକ ପଡ଼ିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ହେବ ମହାଲଢ଼େଇ। ଏହି ଦୁଇଟି ଯାକ ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ।
ପାକିସ୍ତାନକୁ ଧୂଳି ଚଟାଇଲା କଙ୍ଗାରୁ ଦଳ
ଅଷ୍ଟ୍ରେଲିଆ ନିଜର ଶେଷ ମ୍ୟାଚ୍ରେ ପାକିସ୍ତାନକୁ ଏକତରଫା ଭାବେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦୦ ରନ୍ର ବିଶାଳ ସ୍କୋର ଛିଡ଼ା କରିଥିଲା। ଜବାବରେ ପାକିସ୍ତାନ ଦଳ ମାତ୍ର ୧୩.୪ ଓଭରରେ ୮୬ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏହି ଲଜ୍ଜାଜନକ ପରାଜୟ ସହ ପାକିସ୍ତାନ ଚଳିତ ବିଶ୍ୱକପ୍ରେ ୪ଟି ମ୍ୟାଚ୍ ଖେଳି ସୁଦ୍ଧା ବିଜୟର ଖାତା ଖୋଲିପାରି ନାହିଁ। ଅପରପକ୍ଷରେ, ଅଷ୍ଟ୍ରେଲିଆର ଏହି ଦମଦାର ବିଜୟ ଏବେ ଗ୍ରୁପ୍-ଏ'ର ସମୀକରଣକୁ ବେଶ୍ ରୋମାଞ୍ଚକର କରିଦେଇଛି।