ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଭାରତୀୟ କ୍ରିକେଟ ପ୍ରେମୀ ଏବଂ ଟିମ୍ ଇଣ୍ଡିଆ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ଦଳର ଷ୍ଟାର୍ ବ୍ୟାଟର ବିରାଟ କୋହଲି ଗୁରୁତ୍ୱପୂର୍ଣ୍ଣ ଫିଟନେସ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ଫିଟନେସ୍ ଟେଷ୍ଟ ପାସ୍ କରିବା ପରେ ଆଗାମୀ ଦିନିକିଆ ସିରିଜ୍ରେ ତାଙ୍କ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି, ଯାହା ଭାରତୀୟ ଶିବିର ପାଇଁ ବଡ଼ ଆଶ୍ୱସ୍ତି ଆଣିଦେଇଛି।
ଗତ କିଛି ଦିନ ହେବ ବିରାଟ କୋହଲିଙ୍କ ଫିଟନେସ୍କୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା। ସେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି କି ନାହିଁ ଏବଂ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ସେ ମୈଦାନକୁ ଓହ୍ଲାଇବେ କି ନାହିଁ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ସିରିଜ୍ ଆରମ୍ଭ ହେବା ପୂର୍ବରୁ ହୋଇଥିବା ଫିଟନେସ୍ ପରୀକ୍ଷାରେ ସେ ନିଜକୁ ଶହେ ପ୍ରତିଶତ ଫିଟ୍ ପ୍ରମାଣିତ କରିଛନ୍ତି। ବିସିସିଆଇର ମେଡିକାଲ ଟିମ୍ ଓ ଟ୍ରେନରମାନେ ତାଙ୍କ ଫିଟନେସ୍କୁ ସବୁଜ ସଙ୍କେତ ଦେଇଛନ୍ତି।
ଇଂଲଣ୍ଡ ମାଟିରେ ଇଂଲଣ୍ଡ ବିପକ୍ଷରେ ଖେଳିବା ସବୁବେଳେ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥାଏ। ଏଭଳି ସ୍ଥିତିରେ ବିରାଟ କୋହଲିଙ୍କ ଭଳି ଅଭିଜ୍ଞ ଖେଳାଳି ଦଳରେ ରହିବା ଅତ୍ୟନ୍ତ ଜରୁରୀ। ସେ ଫିଟ୍ ହୋଇ ଦଳକୁ ଫେରିବା ପରେ କ୍ରିକେଟ ବିଶେଷଜ୍ଞଙ୍କ ମତରେ ଭାରତୀୟ ମଧ୍ୟକ୍ରମ ବ୍ୟାଟିଂ ଆହୁରି ମଜବୁତ ହେବ। କୋହଲିଙ୍କ ଫର୍ମ ଏବଂ ଉପସ୍ଥିତି ବିରୋଧୀ ଦଳ ଉପରେ ମାନସିକ ଚାପ ସୃଷ୍ଟି କରିବାରେ ବେଶ୍ ସହାୟକ ହେବ।
କୋହଲି ଫିଟନେସ୍ ଟେଷ୍ଟ ପାସ୍ କରିବା ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ଇଂଲଣ୍ଡ ବିପକ୍ଷ ଏହି ଦିନିକିଆ ସିରିଜ୍ରେ କିଙ୍ଗ କୋହଲିଙ୍କ ବ୍ୟାଟରୁ ପୁଣି ଏକ ବଡ଼ ଇନିଂସ ଦେଖିବାକୁ ଫ୍ୟାନ୍ସ ଚାତକ ଭଳି ଚାହିଁ ରହିଛନ୍ତି।
Also Read: ୪୮ ବଲ୍ରେ ୧୪୨ ରନ୍: ବିପର୍ଯ୍ୟୟ ଘଟାଇଲେ ବୈଭବ ସୂର୍ଯ୍ୟବଂଶୀଙ୍କ ସାଥୀ ଖେଳାଳି