ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି । ୧୫ ଜଣିଆ ଦଳରେ ପୂର୍ବତନ ଅଧିନାୟକ ତଥା ତାରକା ବ୍ୟାଟର ବିରାଟ କୋହଲିଙ୍କୁ ସାମିଲ୍ କରାଯାଇଛି । ହେଲେ ବିରାଟ କୋହଲି ବର୍ତ୍ତମାନ ସୁଦ୍ଧା ସଂପୂର୍ଣ୍ଣ ଫିଟ୍ ହୋଇ ନାହାନ୍ତି । ଯଦି ସେ ଫିଟନେସ୍ ଟେଷ୍ଟରେ ପାସ୍ କରନ୍ତି ତେବେ ସେ ସିରିଜରେ ଅଂଶଗ୍ରହଣ କରି ପାରିବେ ।
ଦଳକୁ ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି । ବୁମରା ଶେଷ ଥର ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲରେ ଭାରତୀୟ ଦଳ ପାଇଁ ଦିନିକିଆ ମ୍ୟାଚ୍ ଖେଳିଥିଲେ । ଅଲରାଉଣ୍ଡର ଅକ୍ଷର ପଟେଲ ମଧ୍ୟ ଦିନିକିଆ ଦଳକୁ ଫେରିଛନ୍ତି । ଅକ୍ଷର ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିିରିଜରେ ସାମିଲ୍ ନ ଥିଲେ ।
ଯଶସ୍ୱୀ ଜୟସ୍ୱାଲ, ପ୍ରିନ୍ସ ଯାଦବ ଓ ହର୍ଷ ଦୁବେଙ୍କୁ ସ୍ଥାନ ମିଳିନି । ଓପନର ଜୟସ୍ୱାଲ ଗତକାଲି ଆଫଗାନିସ୍ତାନ ବିପକ୍ଷ ଶେଷ ଦିନିକିଆରେ ୧୧୦ ରନର ଦମଦାର ଶତକୀୟ ଇନିଂସ ଖେଳିଥିଲେ । ହେଲେ ବିରାଟ କୋହଲିଙ୍କ ଦଳକୁ ଫେରିବା ସହ ତାଙ୍କୁ ବାଦ୍ ଦିଆଯାଇଛି ।
ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ
ଶୁଭମନ ଗିଲ୍(ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି(ଫିଟେନସ୍ ଉପରେ ନିର୍ଭର), ଶ୍ରେୟସ ଆୟର(ଉପଅଧିନାୟକ), କେଏଲ ରାହୁଲ(ୱିକେଟ୍ କିପର), ଇଶାନ କିଷନ( ୱିକେଟ୍ କିପର), ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ନୀତିଶ କୁମାର ରେଡ୍ଡୀ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ପ୍ରସିଦ୍ଧ କୃଷ୍ଣ, ହର୍ଷିତ ରାଣା, ଅର୍ଶଦୀପ ସିଂ ଓ ଗୁରନୁର ବରାର ।
ଭାରତର ଇଂଲଣ୍ଡ ଗସ୍ତ
ଜୁଲାଇ ୧, ପ୍ରଥମ ଟି-୨୦, ଚେଷ୍ଟର ଲେ ଷ୍ଟ୍ରିଟ
ଜୁଲାଇ ୪, ଦ୍ୱିତୀୟ ଟି-୨୦, ମାଞ୍ଚେଷ୍ଟର
ଜୁଲାଇ ୭, ତୃତୀୟ ଟି-୨୦, ନର୍ଟିଂହାମ
ଜୁଲାଇ ୯, ଚତୁର୍ଥ ଟି-୨୦, ବ୍ରିଷ୍ଟମ
ଜୁଲାଇ ୧୧, ପଞ୍ଚମ ଟି-୨୦, ସାଉଥମ୍ପଟନ
ଜୁଲାଇ ୧୪, ପ୍ରଥମ ଦିନିକିଆ, ବର୍ମିଂହାମ
ଜୁଲାଇ ୧୬, ଦ୍ୱିତୀୟ ଦିନିକିଆ, କାର୍ଡିଫ
ଜୁଲାଇ ୧୯, ତୃତୀୟ ଦିନିକିଆ, ଲର୍ଡ୍ସ