ପୁରୀ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ଭେଦି ନକଲି ଆର୍ମି ଅଫିସର ଭାବେ ପ୍ରବେଶ କରିବା ଚେଷ୍ଟା କରୁଥିବା ଜଣେ ଯୁବକଙ୍କୁ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଧରିଦେଇଛି। ରବିବାର ଏହି ଘଟଣା ଘଟିଥିବାବେଳେ ଶ୍ରୀମନ୍ଦିର ଭିତରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି।
ଧରାପଡ଼ିଥିବା ଯୁବକଙ୍କ ପରିଚୟ ଉପେନ୍ଦ୍ର ପୁରୋହିତ ବୋଲି ଜଣାପଡ଼ିଛି। ସେ ରାଜସ୍ଥାନର ବାସିନ୍ଦା ବୋଲି ସୂଚନା ମିଳିଛି। ଆର୍ମି ପୋଷାକ ପିନ୍ଧି ଆର୍ମି ଅଫିସର ପରିଚୟ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବା ବେଳେ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ର ସନ୍ଦେହ ହୋଇଥିଲା।
ପ୍ରବେଶ ସମୟରେ ତାଙ୍କ ଆଚରଣ ଓ ପରିଚୟପତ୍ର ଯାଞ୍ଚ କରିବା ପରେ ସତ୍ୟ ସାମ୍ନାକୁ ଆସିଥିଲା। ପରେ ସ୍କ୍ୱାଡ୍ ସଦସ୍ୟମାନେ ତାଙ୍କୁ ଅଟକ ରଖି ସିଂହଦ୍ୱାର ଥାନା ପୋଲିସଙ୍କ ହାତରେ ହସ୍ତାନ୍ତର କରିଥିଲେ।
ବର୍ତ୍ତମାନ ସିଂହଦ୍ୱାର ଥାନା ପୋଲିସ ଉପେନ୍ଦ୍ରଙ୍କୁ ଅଟକ ରଖି ପଚରାଉଚରା ଚାଲାଇଛି। ସେ କାହିଁକି ଏଭଳି ନକଲି ଆର୍ମି ଅଫିସର ଭାବେ ମନ୍ଦିରକୁ ପ୍ରବେଶ କରୁଥିଲେ, ତାହାର ପଛରେ କୌଣସି ଅନ୍ୟ ଉଦ୍ଦେଶ୍ୟ ଥିଲା କି ନାହିଁ, ସେନେଇ ତଦନ୍ତ ଜାରି ରହିଛି। ଏହି ଘଟଣା ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।