ଭୁବନେଶ୍ୱର: ରାଜଧାନୀରେ ପୁଣି ଦେଖିବାକୁ ମିଳିଛି ଦୁର୍ବୃତ୍ତଙ୍କ ଆତଙ୍କ। ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ନିକଟସ୍ଥ ବସ୍ତି ଅଞ୍ଚଳରେ ଖଣ୍ଡା ଧରି ଆସିଥିବା ୪ରୁ ୫ ଜଣ ଦୁର୍ବୃତ୍ତ ଜଣେ ବାପା ଓ ପୁଅଙ୍କୁ ଆକ୍ରମଣ କରିଛନ୍ତି। ଆହତ ହୋଇଥିବା ବ୍ୟକ୍ତିମାନେ ହେଲେ ଦିଲ୍ଲିପ ଓ ତାଙ୍କ ପୁଅ ରାଜେନ୍ଦ୍ର। ଉଭୟଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ହସ୍ପିଟାଲକୁ ନେଇ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଦୁର୍ବୃତ୍ତମାନେ ଦିଲ୍ଲିପଙ୍କ ଦୋକାନକୁ ଆସି ତାଙ୍କ ଜ୍ୱାଇଁ କେଉଁଠି ଅଛନ୍ତି ବୋଲି ପଚାରିଥିଲେ। ଦିଲ୍ଲିପ ଜ୍ୱାଇଁ ଘରେ ନଥିବା କହିବା ପରେ ହଠାତ୍ ସେମାନେ ଉତ୍ତେଜିତ ହୋଇ ଖଣ୍ଡାରେ ଆକ୍ରମଣ କରିଥିଲେ। ଏଥିରେ ବାପା-ପୁଅ ଆହତ ହୋଇଥିଲେ।
ଏତିକିରେ ସୀମିତ ରହିନଥିଲେ ଦୁର୍ବୃତ୍ତମାନେ। ସେମାନେ ଦୋକାନରେ ଭଙ୍ଗାରୁଜା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାକୁ ଏହି ଆକ୍ରମଣର ମୂଳ କାରଣ ବୋଲି ସନ୍ଦେହ କରାଯାଉଛି।
ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ତଦନ୍ତ ଜୋରଦାର କରାଯାଇଛି।