ଝାରସୁଗୁଡ଼ାରେ ରବିବାର ଦେଖିବାକୁ ମିଳିଛି ପ୍ରକୃତିର ଭୟଙ୍କର ରୂପ। କିଛି ମିନିଟ୍ରେ ସବୁକିଛି ଛତ୍ରଭଙ୍ଗ କରିଦେଲା ଭୟଙ୍କର କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼। ଲଖନପୁର ବ୍ଲକ୍ର ଅଢ଼ାପଡ଼ାଠାରେ ଆୟୋଜିତ ଭାରତ କୋଲ ଗେସିଫିକେସନ ଆଣ୍ଡ କେମିକାଲ୍ସ ଲିମିଟେଡ଼ (BCGCL) ପ୍ରକଳ୍ପର ଉଦ୍ଘାଟନୀ ଉତ୍ସବ ସ୍ଥଳରେ ଏହି ଭୟାବହ ଦୃଶ୍ୟ ଦେଖିବାକୁ ମିଳିଛି।
ଉଦ୍ଘାଟନ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ହଠାତ୍ ଆକାଶ ଅନ୍ଧାରିଆ ହୋଇଯାଇଥିଲା ଓ ମାଡ଼ିଆସିଥିଲା ବିଶାଳ ଘୂର୍ଣ୍ଣିଝଡ଼। ଧୂଳି ଓ ଧୂଆଁ ସହ ପବନର ବେଗ ଏତେ ତୀବ୍ର ଥିଲା ଯେ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ବିଶାଳ ଟେଣ୍ଟ ଓ ଖାଦ୍ୟ ଷ୍ଟଲ୍ଗୁଡ଼ିକ ଭାଙ୍ଗିଯିବାର ସ୍ଥିତି ସୃଷ୍ଟି ହୋଇଥିଲା।
ଏହି ଅଚାନକ ଘଟଣାରେ ସ୍ଥାନୀୟ ଲୋକ ଓ ପ୍ରଶାସନ କିଛି ସମୟ ପାଇଁ ଆତଙ୍କିତ ହୋଇପଡ଼ିଥିଲେ। ପବନର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ଲୁହାର ବିଶାଳ ଷ୍ଟ୍ରକ୍ଚର ମଧ୍ୟ ଦୋହଳିଯାଇଥିଲା।
ସେତେବେଳେ କାର୍ଯ୍ୟକ୍ରମ ସ୍ଥଳରେ କେନ୍ଦ୍ର କୋଇଲା ମନ୍ତ୍ରୀ ଜି. କିଶନ ରେଡ୍ଡୀ, ରାଜ୍ୟ ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଅତିରିକ୍ତ କୋଇଲା ସଚିବ ସରୋଜ କୁମାର ଶାହା ଓ BCGCLର ଚେୟାରମ୍ୟାନ୍ ଆଶିଷ କୁମାର ଉପସ୍ଥିତ ଥିଲେ। ସୌଭାଗ୍ୟବଶତଃ, କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ପାଗ ଶାନ୍ତ ହୋଇଥିଲା ଓ ପରିସ୍ଥିତି ପୁଣି ସାମାନ୍ୟ ସ୍ଥିତିକୁ ଫେରିଥିଲା।