କେରଳର ଥ୍ରିସୁର ସହରରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏକ ଭଡ଼ା ଘରରେ ଚାଲୁଥିବା ସନ୍ଦେହଜନକ ବେଶ୍ୟାଳୟରେ ଝଗଡ଼ା ପରେ ଏହି ରକ୍ତାକ୍ତ ଘଟଣା ଘଟିଥିବା ସୂଚନା ମିଳିଛି। ମୃତ ଯୁବକ ହେଲେ ରାୟଗଡ଼ା ଜିଲ୍ଲା ଡାଙ୍ଗାସିଲ ଗାଁର ଦାନପତି ନାୟକ (୨୭)। ଏହି ଘଟଣାରେ ତାଙ୍କର ଦୁଇ ସାଙ୍ଗ ମକ୍କରା ମାଝୀ (୨୧) ଓ ତ୍ରିନାଥ ମାଝୀ (୨୩) ମଧ୍ୟ ଆହତ ହୋଇଛନ୍ତି।
ପୋଲିସ ସୂଚନା ଅନୁସାରେ, ଜୁନ୍ ୧୮ ରାତିରେ ଏହି ତିନି ଜଣ ଥ୍ରିସୁରର କୋରାପଥ୍ ଲେନ୍ର ଏକ ଭଡ଼ା ଘରକୁ ଯାଇଥିଲେ। ଘରୁ ବାହାରୁଥିବା ବେଳେ ଟଙ୍କା ଫେରସ୍ତକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହି ବିବାଦ ହଠାତ୍ ହିଂସ୍ର ରୂପ ନେଇଥିଲା।
ଅଭିଯୋଗ ଅନୁଯାୟୀ, ସେଠାରେ ଥିବା ଲୋକମାନେ ତିନିଜଣଙ୍କୁ ନିର୍ମମ ଭାବେ ମାଡ଼ ମାରିଥିଲେ। ଏଥିରେ ଦାନପତିଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ ଥ୍ରିସୁର ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ରବିବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏହି ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି, ଯେଉଁଥିରେ ୨ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି। ପୋଲିସ କହିଛି, ସେମାନେ ସେହି ଭଡ଼ା ଘରରେ ଅବୈଧ କାର୍ଯ୍ୟ ଚାଲାଉଥିଲେ। ଏହି ଘଟଣାରେ ଜଡିତ ଓଡ଼ିଶାର ବିଚୁ ନାୟକ ନାମକ ଜଣେ ବ୍ୟକ୍ତି ଏବେ ମଧ୍ୟ ଫେରାର ଅଛନ୍ତି। ଥ୍ରିସୁର ଇଷ୍ଟ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।