କେନ୍ଦୁଝର: ଆସନ୍ତା ଖରିଫ ଋତୁକୁ ନଜରରେ ରଖି ରାଜ୍ୟ ସରକାର ଚାଷୀଙ୍କ ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି। ଏହାର ଅଂଶ ଭାବେ କୃଷି ଓ କୃଷକ ସଶକ୍ତିକରଣ ଏବଂ ଉର୍ଜା ବିଭାଗର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରବିବାର କେନ୍ଦୁଝର ଜିଲ୍ଲା ଗସ୍ତ କରି ଖରିଫ ୨୦୨୬ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।
ଏହି ଗସ୍ତ ସମୟରେ ସେ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଧାନ ନର୍ସରୀ ପ୍ରସ୍ତୁତି ଓ ରୋପଣ କାର୍ଯ୍ୟ କେତେ ଦୂର ଆଗକୁ ବଢ଼ିଛି, ସେଥିପାଇଁ ସେ ଖେତକୁ ଯାଇ ସମୀକ୍ଷା କରିଥିଲେ।
ବିଶେଷ କରି, ଏଲ୍ନିନୋ ପ୍ରଭାବରେ ମନସୁନ୍ କମ୍ ହେବାର ସମ୍ଭାବନାକୁ ନେଇ ସେ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଏଭଳି ପରିସ୍ଥିତିକୁ ମୁହାଁ ଦେବାକୁ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ କେତେ ପ୍ରସ୍ତୁତ ଅଛନ୍ତି, ତାହାର ମଧ୍ୟ ସମୀକ୍ଷା କରାଯାଇଥିଲା।
ଉପମୁଖ୍ୟମନ୍ତ୍ରୀ କୃଷି ବିଭାଗର ଅଧିକାରୀମାନଙ୍କୁ କହିଥିଲେ ଯେ, ଯେକୌଣସି ପରିସ୍ଥିତି ପାଇଁ ଆଗୁଆ ପ୍ରସ୍ତୁତି ରଖିବା ଆବଶ୍ୟକ। ସେ ଜିଲ୍ଲା କୃଷି କଣ୍ଟିଜେନ୍ସି ପ୍ଲାନକୁ ସଠିକ୍ ଭାବରେ କାର୍ଯ୍ୟକରିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସେ କହିଥିଲେ, ଚାଷୀମାନଙ୍କୁ ସମୟୋପଯୋଗୀ ପରାମର୍ଶ, ଆବଶ୍ୟକ କୃଷି ସାମଗ୍ରୀର ସୁବିଧା ଓ ଖେତର ନିୟମିତ ନଜରଦାରି ଖରିଫ ଋତୁର ସଫଳତା ପାଇଁ ଅତ୍ୟାବଶ୍ୟକ।
ଏହା ସହିତ ସେ ଜିଲ୍ଲାରେ ମଡେଲ ଫାର୍ମ ସ୍ଥାପନ ପାଇଁ ଚିହ୍ନଟ ହୋଇଥିବା ଜମିକୁ ମଧ୍ୟ ପରିଦର୍ଶନ କରିଥିଲେ। ଏହି ମଡେଲ ଫାର୍ମଗୁଡ଼ିକ ଚାଷୀଙ୍କ ପାଇଁ ନୂତନ ପ୍ରଯୁକ୍ତି, ଗବେଷଣା ଓ ଉତ୍ତମ ଚାଷ ପ୍ରଣାଳୀ ଶିଖିବାର କେନ୍ଦ୍ର ହେବ।
କେନ୍ଦୁଝରର ପ୍ରସ୍ତୁତିକୁ ନେଇ ସନ୍ତୋଷ ପ୍ରକାଶ କରି ସିଂହଦେଓ କହିଛନ୍ତି ଯେ, ସମୟମତେ ସଠିକ୍ ପଦକ୍ଷେପ ନିଆଯାଇଲେ କମ୍ ବର୍ଷା ସତ୍ତ୍ୱେ ମଧ୍ୟ ଚାଷ ଋତୁ ସଫଳ ହେବ।