ଭୁବନେଶ୍ୱର: ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ଯୋଗ ଓ ପ୍ରାଣାୟାମକୁ ଦୈନନ୍ଦିନ ଅଭ୍ୟାସରେ ସାମିଲ କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ସୁସ୍ଥ ଶରୀର, ସୁସ୍ଥ ମନ ଓ ଭଲ ଚିନ୍ତାଧାରା ପାଇଁ ଯୋଗ ଅତ୍ୟାବଶ୍ୟକ।
ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ବୃହତ୍ ଗଣଯୋଗ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯୋଗକୁ ଓଡ଼ିଶାର ପ୍ରତ୍ୟେକ ଘରକୁ ନେବା ଆବଶ୍ୟକ। ସେ କହିଲେ, “ଯୋଗ ଶାରୀରିକ, ମାନସିକ ଓ ବୁଦ୍ଧିମତାର ବିକାଶ ପାଇଁ ଜରୁରୀ। ଏହା ଆଜି ସମଗ୍ର ବିଶ୍ୱରେ ଉତ୍ସାହର ସହ ପାଳିତ ହେଉଛି।”
ସେ ଲୋକଙ୍କୁ ପ୍ରତିଦିନ ଅତି କମରେ ୨୦ରୁ ୩୦ ମିନିଟ୍ ଯୋଗ ଓ ପ୍ରାଣାୟାମ କରିବାକୁ ପରାମର୍ଶ ଦେଇଥିଲେ। “ଔଷଧ ଖାଇବା ପୂର୍ବରୁ ଯୋଗ କରନ୍ତୁ। ଯୋଗ ଜୀବନକୁ ଚାପମୁକ୍ତ କରେ ଓ ଶରୀରକୁ ସୁସ୍ଥ ରଖେ,” ବୋଲି ସେ କହିଥିଲେ।
ବୃଦ୍ଧମାନଙ୍କ ପାଇଁ ଯୋଗକୁ ‘ବୟସର ଔଷଧ’ ବୋଲି ବର୍ଣ୍ଣନା କରି ସେମାନଙ୍କୁ ନିୟମିତ ଅଭ୍ୟାସ ପାଇଁ ଉତ୍ସାହିତ କରିଥିଲେ। ଯୁବପିଢ଼ିଙ୍କୁ ଉଦ୍ଦେଶ୍ୟ କରି ସେ କହିଥିଲେ, “ମୋବାଇଲ ଛାଡ଼, ମ୍ୟାଟ୍ ଧର। ସୋସିଆଲ ମିଡିଆରୁ ଦୂରେ ରହି ପ୍ରତିଦିନ ୨୦-୩୦ ମିନିଟ୍ ଯୋଗ କର।” ସେ ଆହୁରି କହିଥିଲେ, “ବୟସ ବଢ଼ିବା ସହିତ ବିପି, ଟେନସନ୍ ଓ ବିଭିନ୍ନ ରୋଗ ଆସିଥାଏ। ତେଣୁ ବୁଢ଼ା ହେବା ପୂର୍ବରୁ ନିଜକୁ ପ୍ରସ୍ତୁତ କର।”
ଯୋଗ ପ୍ରଚାର ପାଇଁ ସରକାର ଖୁବଶୀଘ୍ର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ସ୍କୁଲ ଓ କଲେଜରେ ଯୋଗ ଅଧ୍ୟାୟ ଆରମ୍ଭ ହେବା ସହ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ନିକଟ ବିଞ୍ଝାଗିରିରେ ୨୦ ଏକର ଜମିରେ ଏକ ଯୋଗ ଇନଷ୍ଟିଟ୍ୟୁଟ୍ ସ୍ଥାପନ କରାଯିବ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, କ୍ରୀଡ଼ାବିଦ୍, ମହିଳା ଓ ବରିଷ୍ଠ ନାଗରିକଙ୍କ ବ୍ୟାପକ ଯୋଗଦାନ ଦେଖିବାକୁ ମିଳିଥିଲା।