ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ସମ୍ମୁଖରେ ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଛି। ମୃତ ଯୁବକ ହେଲେ କାମତା ଗ୍ରାମର ଶିବପ୍ରସାଦ ବାରିକ। ଥାନା ସାମ୍ନାରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି।
ଏହି ଘଟଣାକୁ ନେଇ ପରିବାର ପକ୍ଷରୁ ଗୁରୁତର ଅଭିଯୋଗ ଆଣାଯାଇଛି। ପରିବାରର କହିବା ଅନୁସାରେ, ପୋଲିସର ମାନସିକ ଚାପ, ଦୁର୍ବ୍ୟବହାର ଓ ଧମକରେ ଅତିଷ୍ଠ ହୋଇ ଶିବପ୍ରସାଦ ଏଭଳି ଚରମ ପଦକ୍ଷେପ ନେଇଥିଲେ।
ସୂଚନା ଅନୁସାରେ, ଶିବପ୍ରସାଦଙ୍କ ସମ୍ପର୍କୀୟଙ୍କ ନାମରେ ଥିବା ଏକ ବୋଲେରୋ ଗାଡ଼ିକୁ ସେ ଭଡ଼ାରେ ଦେଇଥିଲେ। କିଛି ଦିନ ପୂର୍ବରୁ ସେହି ଗାଡ଼ି ଚୋରି ହୋଇଯାଇଥିବାରୁ କୁଳିଅଣା ଥାନାରେ ଅଭିଯୋଗ ହୋଇଥିଲା। କିନ୍ତୁ ଦୀର୍ଘ ସମୟ ବିତିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ତତ୍ପରତା ଦେଖାଯାଇନଥିଲା।
ଗାଡ଼ି ଖୋଜିବା ପାଇଁ ଶିବପ୍ରସାଦ ବାରମ୍ବାର ଥାନାକୁ ଯାଇଥିଲେ। କିନ୍ତୁ ତାଙ୍କ ଅଭିଯୋଗ ଶୁଣିବା ବଦଳରେ ମିଥ୍ୟା ମଦ କେସରେ ଫସାଇବାକୁ ପୋଲିସ ଧମକ ଦେଇଥିବା ପରିବାର ଅଭିଯୋଗ କରିଛନ୍ତି।
ଘଟଣା ପରେ କୁଳିଅଣା ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ଲୋକ ଓ ପରିବାର ଲୋକେ ସିସିଟିଭି ଫୁଟେଜ୍ ସାମ୍ନାକୁ ଆଣିବା ସହ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।
ଏହି ଘଟଣାରେ ଏସଡିପିଓ ପ୍ରଭାତ କୁମାର ମଲ୍ଲିକ କହିଛନ୍ତି, ପରିବାରର ଅଭିଯୋଗକୁ ଗୁରୁତ୍ୱର ସହ ନିଆଯାଇଛି ଏବଂ ମୟୂରଭଞ୍ଜ ଏସପିଙ୍କୁ ଅବଗତ କରାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଓ ତଦନ୍ତ ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ।