ବାଲେଶ୍ୱରରେ ଦେଖାଦେଇଛି ଏକ ଅଭାବନୀୟ ଓ ଚାଞ୍ଚଲ୍ୟକର ଘଟଣା। ସାମାନ୍ୟ ନଡ଼ିଆ ଗଛକୁ ନେଇ ଆରମ୍ଭ ହୋଇଥିବା ପରିବାରିକ ବିବାଦ ନେଇଛି ରକ୍ତାକ୍ତ ମୋଡ଼। ଏହି ବିବାଦରେ ସାନ ଭାଇଙ୍କ ଆକ୍ରମଣରେ ବଡ଼ ଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ଭାଉଜ ଗୁରୁତର ଆହତ ହୋଇଛନ୍ତି। ଏପରି ଚାଞ୍ଚଲ୍ୟକର ଘଟଣା ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଶଙ୍କରପୁର ଗାଁରେ ଘଟିଛି।
ସୂଚନା ଅନୁସାରେ, ନଡ଼ିଆ ଗଛରୁ ନଡ଼ିଆ ପାରିବାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗିଥିଲା। ରବିବାର ଏହି ବିବାଦ ହଠାତ୍ ଭୟଙ୍କର ରୂପ ନେଇଥିଲା।
ଅଭିଯୋଗ ଅନୁଯାୟୀ, ସାନ ଭାଇ କିଛି ଲୋକଙ୍କୁ ନେଇ ବଡ଼ ଭାଇ ଓ ଭାଉଜଙ୍କ ଉପରେ ଆକ୍ରମଣ କରିଥିଲେ। ତିନି ଜଣ ଦୁର୍ବୃତ୍ତ କଟୁରୀରେ ନିର୍ମମ ଭାବରେ ଉଭୟଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଫକୀର ମୋହନ ମେଡିକାଲ କଲେଜକୁ ନିଆଯାଇଥିଲା। ସେଠାରେ ବଡ଼ ଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ଭାଉଜଙ୍କ ଚିକିତ୍ସା ଚାଲିଛି।
ଘଟଣାର ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୁଖ୍ୟ ଅଭିଯୁକ୍ତ ସାନ ଭାଇ ଫେରାର ଥିବା ବେଳେ ପୋଲିସ ତାଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି। ସାମାନ୍ୟ ନଡ଼ିଆ ଗଛକୁ ନେଇ ଏପରି ରକ୍ତାକ୍ତ କାଣ୍ଡ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି।