ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଘଟିଥିବା ହିଂସା ମାମଲାକୁ ନେଇ ପୋଲିସ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଘଟଣାର ଗୁରୁତ୍ୱ ଓ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଡିଜିପି ୱାଇ.ବି. ଖୁରାନିଆ ଏହି ମାମଲାକୁ ‘ରେଡ୍ ଫ୍ଲାଗ୍’ କ୍ୟାଟେଗୋରୀରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ, କ୍ରାଇମ ଅଗେନ୍ଷ୍ଟ ୱିମେନ୍ (CAW) ୱିଙ୍ଗକୁ ମଧ୍ୟ ମାମଲାରେ ସଂପୃକ୍ତ କରାଯାଇଛି ଓ ତଦନ୍ତକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ କୁହାଯାଇଛି।
ଏପର୍ଯ୍ୟନ୍ତ ଏହି ଘଟଣାରେ ୨୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନେକଙ୍କୁ ଅଟକ ରଖି ପଚରାଉଚରା ଚାଲିଛି। ପୋଲିସ ସୂଚନା ଅନୁସାରେ, ଅନ୍ୟାନ୍ୟ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ବିଶେଷ ଟିମ୍ ଗଠନ କରାଯାଇଛି।
ଘଟଣାକୁ ନେଇ ୩ଟି ଅଲଗା ମାମଲା ରୁଜୁ ହୋଇଥିବା ବେଳେ କ୍ରାଇମ ବ୍ରାଞ୍ଚ ଜିଲ୍ଲା ପୋଲିସକୁ ତଦନ୍ତରେ ସହଯୋଗ କରୁଛି। ଏହି ହିଂସାକାଣ୍ଡ ପରେ ଇଣ୍ଟାଲିଗୁଡ଼ା ଗାଁରେ ଭୟର ପରିବେଶ ସୃଷ୍ଟି ହୋଇଛି। ଗିରଫ ଭୟରେ ଅନେକ ଗ୍ରାମବାସୀ ଗାଁ ଛାଡ଼ି ପଳାଇଯାଇଥିବାରୁ ଗାଁଟି ପ୍ରାୟ ଜନଶୂନ୍ୟ ହୋଇପଡ଼ିଛି।
ରାୟଗଡ଼ା ଏସ୍ପି ରାଜ ପ୍ରସାଦ କହିଛନ୍ତି, ଘଟଣାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ୍ କରିଥିବା ଲୋକଙ୍କ ବିରୋଧରେ IT ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ହେବ।
ପୋଲିସର ସାଇବର ଟିମ୍ ଏହି ଭିଡିଓ ପ୍ରଚାରରେ ଜଡିତ ଲୋକଙ୍କୁ ଚିହ୍ନଟ କରିବାରେ ଲାଗିଛି। ଘଟଣାରେ ଆହତ ହୋଇଥିବା ଦୁଇ ଜଣ ସ୍ୱେଚ୍ଛାସେବକ ଧୀରେଧୀରେ ସୁସ୍ଥ ହେଉଥିବା ଜଣାପଡ଼ିଛି।