ଲଣ୍ଡନ: ହକି ମୈଦାନରେ ପୁଣି ଥରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ମାତ୍ ଦେଇଛି ଟିମ୍ ଇଣ୍ଡିଆ। ମଙ୍ଗଳବାର ଏଫ୍ଆଇଏଚ୍ (FIH) ପ୍ରୋ ଲିଗ୍ର ଏକ ହାଇଭୋଲଟେଜ୍ ମ୍ୟାଚ୍ରେ ଭାରତୀୟ ହକି ଦଳ ପାକିସ୍ତାନକୁ ୪-୩ ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ପାକିସ୍ତାନ ବିପକ୍ଷରେ ଭାରତ ଗତ ୧୦ ବର୍ଷର ଅପରାଜେୟ ରେକର୍ଡକୁ ବଜାୟ ରଖିଛି। ବିଗତ ଦଶନ୍ଧି ମଧ୍ୟରେ ଭାରତୀୟ ଦଳ ପାକିସ୍ତାନଠାରୁ ଗୋଟିଏ ହେଲେ ବି ହକି ମ୍ୟାଚ୍ ହାରିନାହିଁ।
ଲଣ୍ଡନର ପ୍ରସିଦ୍ଧ 'ଲି ଭ୍ୟାଲି ହକି ଆଣ୍ଡ ଟେନିସ ସେଣ୍ଟର'ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରାରମ୍ଭରେ ଭାରତ ୦-୧ରେ ପଛୁଆ ଥିଲା। ପ୍ରଥମ କ୍ୱାର୍ଟରର ୮ମ ମିନିଟ୍ରେ ପାକିସ୍ତାନ ପକ୍ଷରୁ ନଦୀମ ଅହମ୍ମଦ ପ୍ରଥମ ଗୋଲ୍ ଦେଇ ଦଳକୁ ଆଗୁଆ କରିଥିଲେ।
ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟରରେ ଭାରତର ଜବରଦସ୍ତ କମ୍ବ୍ୟାକ୍
ପ୍ରଥମ କ୍ୱାର୍ଟରରେ ପଛେଇବା ପରେ ଦ୍ୱିତୀୟ କ୍ୱାର୍ଟରରେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲା। ମ୍ୟାଚ୍ର ୨୨ତମ ମିନିଟ୍ରେ ଅଭିଷେକ ଭାରତ ପାଇଁ ପ୍ରଥମ ଗୋଲ୍ କରି ସ୍କୋର ସମାନ କରିଥିଲେ। ଏହାର ଠିକ୍ ୨ ମିନିଟ୍ ପରେ (୨୪ତମ ମିନିଟ୍) ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ନୀଳକାନ୍ତ ଶର୍ମା ଭାରତକୁ ୨-୧ରେ ଆଗୁଆ କରିଦେଇଥିଲେ। ପ୍ରଥମ ହାଫ୍ ସୁଦ୍ଧା ଭାରତ ଏହି ସ୍କୋର ବଜାୟ ରଖିଥିଲା। ଏହାପରେ ତୃତୀୟ କ୍ୱାର୍ଟରର ୪୦ତମ ମିନିଟ୍ରେ ସୁଖଜିତ୍ ସିଂହ ଭାରତ ପାଇଁ ତୃତୀୟ ଗୋଲ୍ କରି ସ୍ଥିତିକୁ ୩-୧ କରିଥିଲେ।
ଶେଷ କ୍ୱାର୍ଟରରେ ବଢ଼ିଲା ହୃଦ୍ସ୍ପନ୍ଦନ
ମ୍ୟାଚ୍ର ପ୍ରକୃତ ରୋମାଞ୍ଚ ଚତୁର୍ଥ ତଥା ଶେଷ କ୍ୱାର୍ଟରରେ ଦେଖିବାକୁ ମିଳିଥିଲା, ଯେଉଁଠି ପାକିସ୍ତାନ ୨ଟି ଓ ଭାରତ ଗୋଟିଏ ଗୋଲ୍ ସ୍କୋର କରିଥିଲେ। ୫୨ତମ ମିନିଟ୍ରେ ଭାରତ ପକ୍ଷରୁ ରାଜିନ୍ଦର ସିଂହ ଗୋଲ୍ କରି ବ୍ୟବଧାନକୁ ୪-୧କୁ ବଢ଼ାଇ ଦେଇଥିଲେ। ହେଲେ ଏହାର ପର ମିନିଟ୍ରେ (୫୩ତମ ମିନିଟ୍) ପାକିସ୍ତାନର ଅବୁ ମହମୁଦ ଦ୍ୱିତୀୟ ଗୋଲ୍ ଦେଇ ସ୍କୋର ୪-୨ କରିଥିଲେ। ମ୍ୟାଚ୍ର ଶେଷ ମିନିଟ୍ ଅର୍ଥାତ୍ ୬୦ତମ ମିନିଟ୍ରେ ପାକିସ୍ତାନ ପାଇଁ ଶକିଲ୍ ମୋଇନ୍ ପେନାଲ୍ଟି କର୍ଣ୍ଣର ଜରିଆରେ ତୃତୀୟ ଗୋଲ୍ କରିଥିଲେ। ଫଳରେ ସ୍କୋର ୪-୩ ହୋଇଥିଲା ଏବଂ ଭାରତ ଏହି ରୋମାଞ୍ଚକର ମ୍ୟାଚ୍କୁ ଜିତି ନେଇଥିଲା।
Also Read: ରାଷ୍ଟ୍ରପତି ଭବନରେ ‘ହିଟମ୍ୟାନ୍’ ଚମକ: ରୋହିତ ଶର୍ମାଙ୍କୁ ପଦ୍ମଶ୍ରୀ ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ