ନୂଆଦିଲ୍ଲୀ: ସଙ୍ଗୀତ ଜଗତର ପ୍ରଖ୍ୟାତ ଗାୟିକା ଅଲକା ୟାଗନିକଙ୍କୁ ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମଭୂଷଣ’ରେ ସମ୍ମାନିତ କରାଯାଇଛି। ମଙ୍ଗଳବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ମାତ୍ର ଏହି ଉତ୍ସବରୁ ଆସିଥିବା ଅଲକାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିବା ପରେ ତାଙ୍କ ପ୍ରଶଂସକ ଚିନ୍ତା ପ୍ରକାଶ କରିଛନ୍ତି।
ପୁରସ୍କାର ବିତରଣ ସମାରୋହରେ ଅଲକା ୟାଗନିକ ଏକ ହାଲୁକା ରଙ୍ଗର ସୁଟ୍ ପିନ୍ଧି ସାଧାରଣ ମେକଅପ୍ରେ ନଜର ଆସିଥିଲେ। ପୁରସ୍କାର ଗ୍ରହଣ କରିବା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ହେଲେ ମଞ୍ଚକୁ ଯିବା ସମୟରେ ଅଲକା ବେଶ୍ ଦୁର୍ବଳ ଜଣାପଡ଼ୁଥିଲେ ଏବଂ ତାଙ୍କୁ ଜଣେ ସହଯୋଗୀଙ୍କ (ଅଟେଣ୍ଡାଣ୍ଟ)ସାହାରା ନେଇ ଚାଲିବାକୁ ପଡ଼ୁଥିଲା। ଏହି ଦୃଶ୍ୟ ଦେଖିବା ପରେ ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ନିଜର ଚିନ୍ତା ପ୍ରକଟ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, "ସେ କଣ ସୁସ୍ଥ ନାହାନ୍ତି?", ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ତାଙ୍କୁ ଏଭଳି ଅବସ୍ଥାରେ ଦେଖି ଦିଲ୍ ଭାଙ୍ଗିଗଲା।
ଏହି ବିରଳ ରୋଗରେ ପୀଡ଼ିତ ଅଛନ୍ତି ଅଲକା:
ସୂଚନାଯୋଗ୍ୟ ଯେ, ଗତ କିଛି ସମୟ ହେବ ଅଲକା ୟାଗନିକ ଏକ ବିରଳ ରୋଗ ‘ସେନ୍ସୋରିନ୍ୟୁରାଲ୍ ନର୍ଭ ହିଅରିଂ ଲସ୍’ ରେ ପୀଡ଼ିତ। ନିଜେ ଅଲକା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ନିଜର ଏହି ରୋଗ ବାବଦରେ ସୂଚନା ଦେଇଥିଲେ। ଏହି କାରଣରୁ ତାଙ୍କୁ ଶୁଣିବାରେ ବେଶ୍ ସମସ୍ୟା ହେଉଛି ଏବଂ ଏହାର ପ୍ରଭାବ ତାଙ୍କ ଶାରୀରିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡ଼ିଛି।
୯୦ ଏବଂ ୨୦୦୦ ଦଶକରେ ବଲିଉଡ୍କୁ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଗୀତ ଭେଟି ଦେଇ ପ୍ରଶଂସକଙ୍କ ହୃଦୟ ଜିତିଥିବା ଅଲକା ୟାଗନିକଙ୍କ ନାମରେ ୨ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ରହିଛି। ଆଜି ପଦ୍ମଭୂଷଣ ସମ୍ମାନ ପାଇବା ତାଙ୍କ କ୍ୟାରିୟର ପାଇଁ ଏକ ବଡ଼ ସଫଳତା ହୋଇଥିବା ବେଳେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି କୋଟି କୋଟି ସଙ୍ଗୀତପ୍ରେମୀ।