ନୂଆଦିଲ୍ଲୀ: ଦେଶର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ବାରମ୍ବାର ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଆରପାର୍ ଲଢ଼େଇ ପାଇଁ କଂଗ୍ରେସ ପ୍ରସ୍ତୁତ କରିଛି ମାଷ୍ଟରପ୍ଲାନ୍। ସାରା ଦେଶରେ ଛାତ୍ର ଏବଂ ଯୁବପିଢ଼ିଙ୍କ ସ୍ୱରକୁ ଶାଣିତ କରିବା ପାଇଁ ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ‘ଛାତ୍ରୋଁ କି ଗୁଞ୍ଜ’ ଅଭିଯାନ ଆରମ୍ଭ କରାଯାଇଛି। ଏହି କ୍ରମରେ ଆସନ୍ତା ଜୁନ୍ ୨୫ ତାରିଖରେ ଦେଶର ୨୮ଟି ପ୍ରମୁଖ ସହରରେ ଏକ ସମୟରେ ପ୍ରେସ୍ କନଫରେନ୍ସ କରିବାକୁ କଂଗ୍ରେସ ଏହାର ୨୮ ଜଣ ହେଭିୱେଟ୍ ନେତାଙ୍କୁ ଦାୟିତ୍ୱ ଦେଇଛି।
କଂଗ୍ରେସର ଏହି ଅଭିଯାନର ମୁଖ୍ୟ ଟାର୍ଗେଟ୍ରେ ଅଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶର ଭୁଶୁଡ଼ି ପଡ଼ିଥିବା ଶିକ୍ଷା ବ୍ୟବସ୍ଥା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଅପାରଗତାକୁ ଦାୟୀ କରି ତାଙ୍କ ଇସ୍ତଫା ଦାବି କରିଛି ଦଳ।
ଭୁବନେଶ୍ୱରରେ ମୋର୍ଚ୍ଚା ସମ୍ଭାଳିବେ ପବନ ଖେରା
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏହି ପ୍ରେସ୍ କନଫରେନ୍ସର ନେତୃତ୍ୱ ନେବେ କଂଗ୍ରେସର ଫାୟାରବ୍ରାଣ୍ଡ୍ ନେତା ପବନ ଖେରା। ସେହିପରି ଅନ୍ୟାନ୍ୟ ପ୍ରମୁଖ ସହର ଗୁଡ଼ିକରେ ବରିଷ୍ଠ ନେତାମାନଙ୍କୁ ମଇଦାନକୁ ଓହ୍ଲାଇଛି ଦଳ। ଦିଲ୍ଲୀରେ ଗୌରବ ଗୋଗୋଇ, କୋଲକାତାରେ ସୁପ୍ରିୟା ଶ୍ରୀନେତ, ଚଣ୍ଡିଗଡ଼ରେ ରାଜୀବ ଶୁକ୍ଲା, ପାଟନାରେ ଅନୁପମ, ପୁଣେରେ କହ୍ନେୟା କୁମାର, ବେଙ୍ଗାଲୁରୁରେ ବର୍ଷା ଗାଏକୱାଡ ସାମ୍ବାଦିକ ସମ୍ମିଳନୀର ମୋର୍ଚ୍ଚା ସମ୍ଭାଳିବେ ।
ଶିକ୍ଷାର ‘ସଂଘୀକରଣ’ ଓ ଘରୋଇକରଣ ଅଭିଯୋଗ
କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି ଯେ, ଗତ ୧୨ ବର୍ଷର ବିଜେପି-ଆରଏସଏସ ସରକାର କେବଳ ଶିକ୍ଷାର ଘରୋଇକରଣ, କେନ୍ଦ୍ରୀକରଣ ଏବଂ ସଂଘୀକରଣ ଉପରେ ଜୋର ଦେଇଛନ୍ତି। ଭାରତର ଯୁବପିଢ଼ିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାରେ ଏହି ସରକାର ସମ୍ପୂର୍ଣ୍ଣ ବିଫଳ। ଆଜିର ସମୟରେ କେବଳ ବେକାରୀ ସମସ୍ୟା ବଢ଼ିନାହିଁ, ବରଂ ଯୁବପିଢ଼ିଙ୍କ ରୋଜଗାରକ୍ଷମ ଯୋଗ୍ୟତା ମଧ୍ୟ ହ୍ରାସ ପାଇବାରେ ଲାଗିଛି।