ତାମିଲନାଡୁ: ତାମିଲନାଡୁ ରାଜନୀତିରେ ପୁଣି ଥରେ ଦେଖିବାକୁ ମିଳିଛି ହାଇ-ଭୋଲ୍ଟେଜ୍ ଡ୍ରାମା। ହେଲେ ଏଥର ଏହା କୌଣସି ସିନେମା ପରଦାରେ ନୁହେଁ, ବରଂ ବିଧାନସଭା ଗୃହ ଭିତରେ। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜର ଫିଲ୍ମି ଅନ୍ଦାଜ୍ରେ ଏମିତି ଏକ ହାତ ଇସାରା କରିଛନ୍ତି, ଯାହାକୁ ନେଇ ରାଜ୍ୟ ରାଜନୀତି ସହ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି।
ତାମିଲନାଡୁ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ବିଜୟ ନିଜର ଭାଷଣ ଦେଇଥିଲେ। ଭାଷଣ ସମୟରେ ସେ ପୂର୍ବତନ ଡିଏମକେ ସରକାର ଉପରେ ଦୁର୍ନୀତି ଏବଂ ନିଶାଦ୍ରବ୍ୟ ନିୟନ୍ତ୍ରଣରେ ବିଫଳତା ନେଇ କଡ଼ା ସମାଲୋଚନା କରିଥିଲେ। ସେହିପରି ବିରୋଧୀ ଦଳ ପକ୍ଷରୁ ଟିଭିକେ (TVK) ଉପରେ ଲଗାଯାଇଥିବା ସମସ୍ତ ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଥିଲେ।
ଭାଷଣ ମଧ୍ୟରେ ବିଜୟଙ୍କ ମନ୍ତବ୍ୟକୁ ବିରୋଧ କରି ଡିଏମକେ ବିଧାୟକମାନେ ଗୃହରୁ କକ୍ଷତ୍ୟାଗ କରିଥିଲେ। ତେବେ ବିରୋଧୀଙ୍କ ଏହି ପଦକ୍ଷେପ ପରେ ମଧ୍ୟ ବିଜୟ ନିଜର ଭାଷଣ ଜାରି ରଖିଥିଲେ।
ଭାଷଣ ଶେଷ ହେବା ପରେ ସେ ବାଚସ୍ପତିଙ୍କ ଅନୁମତି ନେଇ ଏକ ବିଶେଷ ହାତ ଇସାରା କରିଥିଲେ। ଏହି ଇସାରାକୁ ଦେଖି ଅନେକେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନଙ୍କ ଏକ ଭାଇରାଲ୍ ହାତ ଠାର ସହ ତୁଳନା କରିଥିଲେ। କିଛି ମାସ ପୂର୍ବରୁ ଷ୍ଟାଲିନ ଏକ ରାଜନୈତିକ ପ୍ରଶ୍ନର ଉତ୍ତର ଦେବା ବେଳେ ସମାନ ଧରଣର ହାତ ଇସାରା କରିଥିଲେ, ଯାହା ସେତେବେଳେ ସୋସିଆଲ ମିଡିଆରେ ଭାରି ଭାଇରାଲ୍ ହୋଇଥିଲା।
ବିଜୟଙ୍କ ଏହି ଇସାରା ଦେଖି ଟିଭିକେ ବିଧାୟକମାନେ ଉଠି ତାଳି ମାରିଥିଲେ। ମାତ୍ର କିଛି ମିନିଟ୍ ମଧ୍ୟରେ ଏହି ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଯାଇଥିଲା। ସମର୍ଥକମାନେ ବିଜୟଙ୍କ ଆତ୍ମବିଶ୍ୱାସ ଓ ଅଲଗା ଶୈଳୀକୁ ପ୍ରଶଂସା କରୁଥିବା ବେଳେ ବିରୋଧୀମାନେ ଏହାକୁ ଅନାବଶ୍ୟକ ନାଟକୀୟତା ବୋଲି ସମାଲୋଚନା କରିଛନ୍ତି।