ନୂଆଦିଲ୍ଲୀ: ଆଗାମୀ ନିର୍ବାଚନଗୁଡ଼ିକୁ ଆଖି ଆଗରେ ରଖି ନିଜ ସଂଗଠନକୁ ସୁଦୃଢ଼ କରିବା ପାଇଁ କଂଗ୍ରେସ ଏକ ବଡ଼ ଧରଣର ସାଙ୍ଗଠନିକ ପରିବର୍ତ୍ତନ କରିବାକୁ ଯାଉଛି। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସର୍ବଭାରତୀୟ କଂଗ୍ରେସ କମିଟି (AICC) ସମେତ କେତେକ ରାଜ୍ୟର ପ୍ରଦେଶ କଂଗ୍ରେସ ସଭାପତି ଏବଂ ପ୍ରଭାରୀ ପଦବୀରେ ବଡ଼ ପରିବର୍ତ୍ତନ ହୋଇପାରେ ।
ରିପୋର୍ଟ ମୁତାବକ, ଦଳର ୪ ଜଣ ବରିଷ୍ଠ ମହାସଚିବଙ୍କୁ ସାଙ୍ଗଠନିକ ଦାୟିତ୍ୱରୁ ମୁକ୍ତ କରାଯାଇପାରେ। ଏହା ସହିତ ପ୍ରାୟ ୬ରୁ ୭ଟି ରାଜ୍ୟର ଦଳୀୟ ପ୍ରଭାରୀଙ୍କୁ ବଦଳାଇବା ସହ ବର୍ତ୍ତମାନ କାର୍ଯ୍ୟ କରୁଥିବା ୬୨ ଜଣ ଜାତୀୟ ସମ୍ପାଦକଙ୍କ ମଧ୍ୟରୁ ପ୍ରାୟ ୨୬ ଜଣଙ୍କୁ ପଦବୀରୁ ହଟାଯିବାର ସମ୍ଭାବନା ରହିଛି।
ଏହି ବଡ଼ ନେତାଙ୍କ ଦାୟିତ୍ୱରେ ହେବ ପରିବର୍ତ୍ତନ
ସୂତ୍ର ଅନୁସାରେ, ‘ଏକ ବ୍ୟକ୍ତି ଏକ ପଦବୀ’ ନିୟମ ଏବଂ କେତେକ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଉଛି। କର୍ଣ୍ଣାଟକ କଂଗ୍ରେସର ସଭାପତି ହେବା ପରେ ବି.କେ. ହରିପ୍ରସାଦଙ୍କୁ ହରିୟାଣା ପ୍ରଭାରୀ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇପାରେ।କେରଳ ସରକାରରେ ମନ୍ତ୍ରୀ ହେବା ପରେ ରମେଶ ଚେନ୍ନିଥାଲା ମହାରାଷ୍ଟ୍ର ପ୍ରଭାରୀ ପଦରୁ ମୁକ୍ତ କରାଯାଇପାରେ। ସେହିପରି କେରଳ କଂଗ୍ରେସ ସଭାପତି ସନ୍ନି ଜୋସେଫ ମଧ୍ୟ ମନ୍ତ୍ରୀ ହୋଇଥିବାରୁ ତାଙ୍କ ସ୍ଥାନରେ ନୂଆ ଚେହେରା ଆସିବେ।
ଗିରିଶ ଚୋଡ଼ନକର ନିକଟରେ ଗୋଆ କଂଗ୍ରେସର ମୁଖ୍ୟ କରାଯାଇଥିବାରୁ ତାମିଲନାଡୁ ପ୍ରଭାରୀ ପଦରୁ ସେ ହଟିପାରନ୍ତି। ଏହା ବ୍ୟତୀତ ଛତିଶଗଡ଼ ପ୍ରଭାରୀ ସଚିନ ପାଇଲଟ ଏବଂ ରାଜସ୍ଥାନ ପ୍ରଭାରୀ ସୁଖଜିନ୍ଦର ସିଂହ ରନ୍ଧାୱାଙ୍କୁ ମଧ୍ୟ ଦାୟିତ୍ୱରୁ ହଟାଯାଇ ନୂଆ ନେତାଙ୍କୁ ସୁଯୋଗ ଦିଆଯାଇପାରେ।
ଉତ୍ତର ପ୍ରଦେଶ ଓ ପଞ୍ଜାବ ସହ ୫ ରାଜ୍ୟରେ ବଦଳିବେ ସଭାପତି
ଆଗାମୀ ୨୦୨୭ ବର୍ଷରେ ଉତ୍ତର ପ୍ରଦେଶ ଏବଂ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହି ଦୁଇ ରାଜ୍ୟର ପ୍ରଦେଶ ସଭାପତି ପରିବର୍ତ୍ତନକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଏହା ବ୍ୟତୀତ ଦିଲ୍ଲୀ, ରାଜସ୍ଥାନ ଏବଂ ତାମିଲନାଡୁରେ ମଧ୍ୟ କଂଗ୍ରେସ ନୂଆ ପ୍ରଦେଶ ସଭାପତି ନିଯୁକ୍ତ କରିପାରେ। ଦଳ ଭିତରେ ଥିବା ଗୋଷ୍ଠୀ କନ୍ଦଳକୁ ରୋକିବା ଏବଂ ନୂଆ ଶକ୍ତି ସହ ମୈଦାନକୁ ଓହ୍ଲାଇବା ପାଇଁ ହାଇକମାଣ୍ଡ ଏହି ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରୁଥିବା ଆଲୋଚନା ହେଉଛି।