ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘଡ଼ି ଘୋଡ଼ା ଛୁଟୁଛି।। ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଗୋଷ୍ଠୀରେ ସାଂସଦମାନଙ୍କ ବିଦ୍ରୋହ ପରେ ଏବେ ବିଧାୟକମାନଙ୍କ ପାଳି ପଡ଼ିଥିବା ଭଳି ମନେହେଉଛି। ସୋମବାର ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ ଦ୍ୱାରା ଡକାଯାଇଥିବା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୈଠକରୁ ୩ ଜଣ ବିଧାୟକ ଗାୟବ ରହିଛନ୍ତି। ଏହି ଘଟଣା ପରେ ଠାକରେ ଗୋଷ୍ଠୀରେ ପୁଣି ଏକ ବଡ଼ ଧରଣର ବିଭାଜନ ହେବାର ଆଶଙ୍କା ଘନେଇବାରେ ଲାଗିଛି।
ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହେଲେ ୬ ସାଂସଦ
ଏହି ବୈଠକ ଚାଲିଥିବା ସମୟରେ ଅନ୍ୟପଟେ ଉଦ୍ଧବ ଗୋଷ୍ଠୀର ୬ ଜଣ ଲୋକସଭା ସାଂସଦ ସରକାରୀ ଭାବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହାକୁ ‘ଅପରେସନ ଟାଇଗର’ ଆଖ୍ୟା ଦେଇ ଏହା ସଫଳ ହୋଇଥିବା ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ସଞ୍ଜୟ ଦେଶମୁଖ, ସଞ୍ଜୟ ଯାଦବ, ସଞ୍ଜୟ ଦୀନା ପାଟିଲ, ନାଗେଶ ପାଟିଲ, ଓମପ୍ରକାଶ ରାଜେ ନିମ୍ବାଲକର ଏବଂ ଭାଉସାହେବ ୱାକଚୌରେ ସିନ୍ଦେ ଗୋଷ୍ଠୀରେ ଯୋଗ ଦେଇଛନ୍ତି।
ବୈଠକରୁ ଗାୟବ ରହିଲେ ଏହି ୩ ନେତା
ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନରେ ମହାୟୁତି ସରକାରଙ୍କୁ ଘେରିବା ପାଇଁ ଉଦ୍ଧବ ଠାକରେ ଦଳୀୟ କାର୍ଯ୍ୟାଳୟ ‘ଶିବାଳୟ’ରେ ବିଧାୟକ ଓ ଏମଏଲସି ମାନଙ୍କର ଏକ ବୈଠକ ଡକାଇଥିଲେ। କିନ୍ତୁ ଏହି ବୈଠକରେ ଏମଏଲସି ସୁନୀଲ ସିନ୍ଦେ, ବିଧାୟକ ସଞ୍ଜୟ ପୋତନିସ ଏବଂ ରାହୁଲ ପାଟିଲ ଯୋଗ ଦେଇନଥିଲେ।
ତେବେ ବୈଠକରେ ଅନୁପସ୍ଥିତ ରହିବା ନେଇ ଏହି ନେତାମାନେ ନିଜ ନିଜର ସଫେଇ ଦେଇଛନ୍ତି। ବିଧାୟକ ରାହୁଲ ପାଟିଲ କହିଛନ୍ତି ଯେ ସେ ବିଧାନ ପରିଷଦ ନିର୍ବାଚନର ଭୋଟ୍ ଗଣତି ଏବଂ ଉଦ୍ଧବ ଠାକରେଙ୍କ ଆଗାମୀ ଗସ୍ତ ପାଇଁ ବ୍ୟସ୍ତ ଥିଲେ। ଅନ୍ୟପଟେ ସୁନୀଲ ସିନ୍ଦେ ନିଜ ଘର ଚିପଲୁନରେ ଥିବା ବେଳେ ମୁମ୍ବାଇ ଫେରୁଥିବା କହିଛନ୍ତି। ସେହିପରି ସଞ୍ଜୟ ପୋତନିସ ବୈଠକକୁ ନଆସିବାର କାରଣ ସ୍ପଷ୍ଟ କରିନଥିଲେ ମଧ୍ୟ ସେ ଉଦ୍ଧବ ଠାକରେଙ୍କ ସହ ଅଛନ୍ତି ବୋଲି ଦାବି କରିଛନ୍ତି।