ଘରେ ତାଲା ପକାଇ ଦୀର୍ଘ ଦିନ ପାଇଁ ବାହାରକୁ ଯାଉଛନ୍ତି କି? ତେବେ ଆଉ ଚୋରିକୁ ନେଇ ଚିନ୍ତା କରିବାକୁ ପଡ଼ିବନି। ଘର ଖାଲି ରହିବା ସମୟରେ ଏହାର ସୁରକ୍ଷା ଦାୟିତ୍ୱ ନେବ ପୋଲିସ। ଲଗାତାର ବଢ଼ୁଥିବା ଚୋରି ଘଟଣାକୁ ରୋକିବା ପାଇଁ ଉତ୍ତର ପ୍ରଦେଶର ଗୋରଖପୁର ପୋଲିସ ଆରମ୍ଭ କରିଛି ଏକ ନୂଆ ପଦକ୍ଷେପ।
ନିକଟରେ ସହରରେ ଅନେକ ଚୋରି ଘଟଣା ସାମ୍ନାକୁ ଆସିଥିଲା। ବିଶେଷ କରି ଯେଉଁ ଘରଗୁଡ଼ିକ ଦୀର୍ଘ ଦିନ ଧରି ବନ୍ଦ ରହୁଥିଲା, ସେଗୁଡ଼ିକୁ ଟାର୍ଗେଟ କରୁଥିଲେ ଚୋର। ଏହାକୁ ଗୁରୁତ୍ୱର ସହ ନେଇ ଗୋରଖପୁର ପୋଲିସ ଏବେ ଖାଲି ଘର ଉପରେ ବିଶେଷ ନଜର ରଖିବାକୁ ନିଷ୍ପତ୍ତି ନେଇଛି।
ନୂଆ ବ୍ୟବସ୍ଥା ଅନୁଯାୟୀ, କୌଣସି ପରିବାର ଛୁଟି, ବିବାହ କିମ୍ବା ଅନ୍ୟ କୌଣସି କାରଣରୁ କିଛି ଦିନ ପାଇଁ ଘର ଛାଡ଼ି ବାହାରକୁ ଯାଉଥିଲେ, ସେମାନେ ନିଜ ଅଞ୍ଚଳର ଥାନା, ପୋଲିସ ଚୌକି କିମ୍ବା ବିଟ୍ କନଷ୍ଟେବଳଙ୍କୁ ଏ ସମ୍ପର୍କରେ ଜଣାଇପାରିବେ। ଏହାପରେ ସେହି ଘରକୁ ପୋଲିସର ବିଶେଷ ନଜରଦାରୀ ତାଲିକାରେ ସାମିଲ କରାଯିବ।
ପୋଲିସ କହିଛି, ଚୋରମାନେ ପ୍ରଥମେ ଅଞ୍ଚଳରେ ରେକି କରିଥାନ୍ତି ଏବଂ ଦୀର୍ଘ ସମୟ ଧରି ବନ୍ଦ ଥିବା ଘରକୁ ଟାର୍ଗେଟ କରନ୍ତି। ଘରେ କେହି ନଥିବାର ସୁଯୋଗ ନେଇ ସେମାନେ ଚୋରି କରିଥାନ୍ତି। ଏହି ସମସ୍ୟାକୁ ରୋକିବା ପାଇଁ ପୋଲିସର ଏହି ନୂଆ ପ୍ରୟାସ।
ଏହି ଅଭିଯାନକୁ ସଫଳ କରିବା ପାଇଁ ଗୋରଖପୁର ପୋଲିସ ସଚେତନତା ଅଭିଯାନ ମଧ୍ୟ ଆରମ୍ଭ କରିଛି। ଅଟୋ ଓ ଇ-ରିକ୍ସାରେ ଲାଉଡସ୍ପିକର ଲଗାଇ ଲୋକଙ୍କୁ ସଚେତନ କରାଯାଉଛି। ସେହିପରି ହ୍ୱାଟସଆପ୍ ଗ୍ରୁପ ଓ ସ୍ଥାନୀୟ ସ୍ତରରେ ମଧ୍ୟ ସଚେତନତା ସୃଷ୍ଟି କରାଯାଉଛି।
ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଏହି ବ୍ୟବସ୍ଥା ଫଳରେ ଚୋରି ଘଟଣା କମିବା ସହ ଲୋକମାନେ ନିଶ୍ଚିନ୍ତରେ ନିଜ ଯାତ୍ରା କରିପାରିବେ। ଘର ଛାଡ଼ି ବାହାରକୁ ଯିବା ପୂର୍ବରୁ ପୋଲିସକୁ ସୂଚନା ଦେଲେ, ଆପଣଙ୍କ ଅନୁପସ୍ଥିତିରେ ଘରର ସୁରକ୍ଷା ଉପରେ ରହିବ ପୋଲିସର କଡ଼ା ନଜର।