କୋଲକାତା: ପଶ୍ଚିମବଙ୍ଗର ନବନିର୍ବାଚିତ ବିଜେପି ସରକାର ଆଜିବିଧାନସଭାରେ ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ (ଆର୍ଥିକ ବର୍ଷ ୨୦୨୬-୨୭) ଆଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ଏହି ବଜେଟ୍ରେ ରାଜ୍ୟବାସୀଙ୍କ ପାଇଁ ଅନେକ ବଡ଼ ଏବଂ ଜନକଲ୍ୟାଣକାରୀ ଘୋଷଣା କରିଛନ୍ତି। ଯେଉଁଥିରେ ୧ ଲକ୍ଷ ସରକାରୀ ଚାକିରି, ମହିଳାମାନଙ୍କ ପାଇଁ ମାଗଣା ବସ୍ ସେବା ଏବଂ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ରେ ୨୦ ପ୍ରତିଶତ ବୃଦ୍ଧି ଭଳି ପ୍ରମୁଖ ନିଷ୍ପତ୍ତି ସାମିଲ ରହିଛି।
ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ଅର୍ଥମନ୍ତ୍ରୀ ସ୍ୱପନ ଦାସଗୁପ୍ତା ପୂଜାର୍ଚ୍ଚନା କରିଥିଲେ। ପରମ୍ପରା ଓ ସ୍ଥାନୀୟ କଳାକୁ ସମ୍ମାନ ଜଣାଇ ଚଳିତ ବର୍ଷ ବଜେଟ୍ ଦସ୍ତାବିଜକୁ ପାରମ୍ପରିକ ବେଙ୍ଗଲୀ ଚଟାଇ ଏବଂ ଝୋଟରେ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ଫାଇଲ୍ରେ ବିଧାନସଭାକୁ ଅଣାଯାଇଥିଲା।
ରାଜ୍ୟ ମୁଣ୍ଡରେ ୮.୫୫ ଲକ୍ଷ କୋଟିର ଋଣବୋଝ
ବଜେଟ୍ ଅଭିଭାଷଣ ଆରମ୍ଭରେ ହିଁ ଅର୍ଥମନ୍ତ୍ରୀ ସ୍ୱପନ ଦାସଗୁପ୍ତା ରାଜ୍ୟର ଆର୍ଥିକ ସ୍ଥିତିକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ପଶ୍ଚିମବଙ୍ଗ ଉପରେ ପ୍ରାୟ ୮ ଲକ୍ଷ ୫୫ ହଜାର କୋଟି ଟଙ୍କାର ଋଣ ରହିଛି। ତେବେ ଏହି ଆର୍ଥିକ ଚାପ ସତ୍ତ୍ୱେ ରାଜ୍ୟରେ ଚାଲିଥିବା ସମସ୍ତ ସାମାଜିକ ଓ କଲ୍ୟାଣକାରୀ ଯୋଜନା ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
୧ ଲକ୍ଷ ଚାକିରି ସହ ମହିଳାଙ୍କୁ ମିଳିବ ୩୩% ସଂରକ୍ଷଣ
ଶୁଭେନ୍ଦୁ ସରକାର ବେରୋଜଗାରୀ ଦୂର କରିବା ପାଇଁ ରାଜ୍ୟରେ ୧ ଲକ୍ଷ ଶୂନ୍ୟ ସରକାରୀ ପଦବୀ ପୂରଣ କରିବାକୁ ଘୋଷଣା କରିଛନ୍ତି। ଏହି ନିଯୁକ୍ତି ପ୍ରକ୍ରିୟାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷିତ ରହିବ।
କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (DA) ର ଉପହାର
ବିଧାନସଭାରେ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, "ଆମେ ଏକ ଦୁର୍ନୀତିମୁକ୍ତ ଏବଂ ପ୍ରଗତିଶୀଳ ବେଙ୍ଗଲ ଗଠନ କରିବାକୁ ଚାହୁଁଛୁ।" ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ରେ ୨୦% ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ପରେ ମୋଟ୍ ଡିଏ ୩୮ ପ୍ରତିଶତକୁ ଅତିକ୍ରମ କରିବ, ଯାହା ଗତ ୧ ଏପ୍ରିଲ ୨୦୨୬ ରୁ ଲାଗୁ ହେବ।
ସାମ୍ବାଦିକ ଓ ପରିବହନ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା
ସରକାର ରାଜ୍ୟ ପରିବହନ ନିଗମର ବସ୍ କଣ୍ଡକ୍ଟରମାନଙ୍କ ପାରିଶ୍ରମିକ ବୃଦ୍ଧି କରିବା ସହ ଅବସରପ୍ରାପ୍ତ ସାମ୍ବାଦିକମାନଙ୍କ ପାଇଁ ମାସିକ ୫,୦୦୦ ଟଙ୍କାର ପେନସନ ଘୋଷଣା କରିଛନ୍ତି। ସରକାରଙ୍କ ଏହି ସମସ୍ତ ନିଷ୍ପତ୍ତି ଦ୍ୱାରା ରାଜ୍ୟର ଲକ୍ଷ ଲକ୍ଷ କର୍ମଚାରୀ, ମହିଳା, ପେନସନଭୋଗୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପକୃତ ହେବେ।