ନୂଆଦିଲ୍ଲୀ: ବଲିଉଡ୍ ତଥା ସାଉଥ୍ ଅଭିନେତା ପ୍ରକାଶ ରାଜଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଏକାଧିକ ଭୋଟର ପରିଚୟ ପତ୍ର ରଖିବା ଅଭିଯୋଗରେ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି । ବେଙ୍ଗାଲୁରୁର ଏକ ନିମ୍ନ ଅଦାଲତ ଏନବିଡବ୍ଲ୍ୟୁ ଜାରି କରିଛନ୍ତି ।
୨୦୧୯ରେ ଦିଲୀପ କୁମାର ନାମକ ଜଣେ ଆଇନଜୀବୀ ହଲାସୁରୁ ଗେଟ୍ ଥାନାରେ ପ୍ରକାଶଙ୍କ ବିରୁଦ୍ଧରେ ଏକାଧିକ ଭୋଟର ପରିଚୟ ପତ୍ର ରଖିଥିବା ଅଭିଯୋଗ କରିଥିଲେ । ତାଙ୍କ ପାଖରେ ଚାରୋଟି ରାଜ୍ୟର ପରିଚୟ ପତ୍ର ରହିଛି । କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ତେଲଙ୍ଗାନା ସାମିଲ ରହିଛି । ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପରେ ଆଇନଜୀବୀ ବେଙ୍ଗାଲୁରୁ ପୋଲିସ କମିଶନର ଏବଂ ନିର୍ବାଚନ ଆୟୋଗଙ୍କୁ ଜଣାଇଥିଲେ । ମାତ୍ର ସେଠୁ ନିରାଶ ହେବା ପରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଏସିଜେଏମ୍ ଦୁଇ ଥର ପ୍ରକାଶ ରାଜଙ୍କୁ ନୋଟିସ୍ ଜାରି କରିଥିଲେ । ମାତ୍ର ସେପଟୁ କୌଣସି ଉତ୍ତର ନ ମିଳିବାରୁ ଏନବିଡବ୍ଲ୍ୟୁ ଜାରି କରିଛନ୍ତି ମାନ୍ୟବର କୋର୍ଟ । ଫଳରେ ପ୍ରକାଶଙ୍କୁ କୋର୍ଟରେ ହାଜର ହେବାକୁ ବାଧ୍ୟ କରି ଦେଇଛି । ନ ହେଲେ ତାଙ୍କର ଗିରଫଦାରୀ ହୋଇପାରେ ।