ସୁନୀତା ଆହୁଜା ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚିତ ରହିଛନ୍ତି ଏବଂ ତାଙ୍କର କୌଣସି ନା କୌଣସି ଭିଡିଓ କ୍ଲିପ୍ ପ୍ରାୟତଃ ଭାଇରାଲ୍ ହେବାରେ ଲାଗିଛି। ଏବେ ସୁନୀତା ଟିଭି ଦୁନିଆରେ ମଧ୍ୟ ପାଦ ଥାପିଛନ୍ତି। ସେ ନିଜ ଝିଅ ସହ ଏକ କୁକିଙ୍ଗ୍ ଶୋ’ ‘ମାଁ ତୋ ହୈ ନା’ରେ ନଜର ଆସୁଛନ୍ତି। ଏହି ଶୋ’ର ଚର୍ଚ୍ଚା ମଧ୍ୟରେ ସୁନୀତାଙ୍କର ଏକ ସାକ୍ଷାତକାର କ୍ଲିପ୍ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଗୋବିନ୍ଦାଙ୍କ ବିଷୟରେ କଥା ହେବା ସହ ଅଭିନେତା ଜଣକ ମୁଣ୍ଡରେ ଅସଲି ବାଳ ବଦଳରେ ହେୟାର୍ ପ୍ୟାଚ୍ (Hair Patch) ବ୍ୟବହାର କରୁଥିବା ପ୍ରକାଶ କରିଛନ୍ତି।
ସୁନୀତା ଆହୁଜା ନିଜର ସ୍ପଷ୍ଟବାଦୀ ଗୁଣ ଏବଂ ଦେଶୀ ଅନ୍ଦାଜ ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ପସନ୍ଦ ହୁଅନ୍ତି। ତେବେ ଏଥିପାଇଁ ଅନେକ ସମୟରେ ତାଙ୍କୁ ଟ୍ରୋଲ୍ ମଧ୍ୟ ହେବାକୁ ପଡ଼ିଥାଏ। କିଛି ଦିନ ତଳେ ଏକ ସାକ୍ଷାତକାରରେ ଯେତେବେଳେ ତାଙ୍କୁ ‘GOAT’ (Greatest Of All Time) ପର୍ସନାଲିଟି ବିଷୟରେ ପଚରାଗଲା, ସେତେବେଳେ ଶିଳ୍ପା ସେଟ୍ଟୀ ଗୋବିନ୍ଦାଙ୍କୁ GOAT ବୋଲି କହିଥିଲେ, କିନ୍ତୁ ସୁନୀତା ଏହାକୁ ମନା କରିଦେଇଥିଲେ। ଏହାପରେ ଲୋକେ ତାଙ୍କୁ ସୋସିଆଲ ମିଡିଆରେ ନେଗେଟିଭ୍ କମେଣ୍ଟ ଦେଇଥିଲେ। ହେଲେ ବର୍ତ୍ତମାନର ସାକ୍ଷାତକାରରେ ସେ କହିଛନ୍ତି ଯେ, ସେତେବେଳେ ତାଙ୍କୁ ଏହି ନୂଆ ଜେନ-ଜି (Gen-Z) ସ୍ଲାଙ୍ଗ୍ ‘GOAT’ର ପ୍ରକୃତ ଅର୍ଥ ଜଣା ନଥିଲା।
**ହେୟାର୍ ପ୍ୟାଚ୍କୁ ନେଇ କଲେ ବଡ଼ ଖୁଲାସା**
ସୁନୀତା କହିଛନ୍ତି, “ମୁଁ ଭାବିଥିଲି ‘GOAT’ ମାନେ ବୋଦା କିମ୍ବା ଛେଳି। ତେଣୁ ମୁଁ କହିଥିଲି ମୋ ସ୍ୱାମୀ କୌଣସି ଛେଳି ନୁହନ୍ତି। ପ୍ରକୃତରେ ମୁଁ କହିବାକୁ ଚାହୁଁଥିଲି ଯେ ମୋ ସ୍ୱାମୀ ଜଣେ ସିଂହ।” ଏହି ଆଲୋଚନା ସମୟରେ ସୁନୀତା, ଗୋବିନ୍ଦାଙ୍କ ସହ ତାଙ୍କର ପ୍ରଥମ ଦେଖା ବିଷୟରେ ମଧ୍ୟ କହିଥିଲେ ଏବଂ ଅଭିନେତାଙ୍କ ବ୍ୟକ୍ତିତ୍ୱର ବହୁତ ପ୍ରଶଂସା କରିଥିଲେ। ଏହି ପ୍ରସଙ୍ଗରେ ସେ କହିଥିଲେ, “ସେ ଏବେ ମଧ୍ୟ ବହୁତ ହ୍ୟାଣ୍ଡସମ୍ ଦେଖାଯାଉଛନ୍ତି, କିନ୍ତୁ ସେତେବେଳେ ତାଙ୍କର ଅସଲି ବାଳ ଥିଲା, ଆଉ ଏବେ ସେ ହେୟାର୍ ପ୍ୟାଚ୍ ଲଗାଉଛନ୍ତି।”
**‘ଲକ୍ ଅପ୍ ୨’ରେ ଆସିବେ ନଜର!**
ଏହି ରହସ୍ୟ ଖୋଲିବା ପରେ ସୁନୀତା କହିଛନ୍ତି ଯେ ଏଥିରେ ଲୁଚାଇବା ଭଳି କିଛି କଥା ନାହିଁ, ଆଜିକାଲି ପ୍ରାୟ ସମସ୍ତେ ଏହି ସବୁ ଜିନିଷ ବ୍ୟବହାର କରୁଛନ୍ତି। ରିପୋର୍ଟ ଅନୁଯାୟୀ, ସୁନୀତା ଖୁବ୍ଶୀଘ୍ର ଆଉ ଏକ ବଡ଼ ରିଆଲିଟି ଶୋ’ ‘ଲକ୍ ଅପ୍ ସିଜନ ୨’ (Lock Upp 2) ରେ ନଜର ଆସିବାକୁ ଯାଉଛନ୍ତି। ଏହି ଶୋ’ର ପ୍ରଥମ ସିଜନ ସୁପରହିଟ୍ ହୋଇଥିବା ବେଳେ ଦ୍ୱାରା ଦ୍ୱିତୀୟ ସିଜନ ଆହୁରି ଅଧିକ କଷ୍ଟକର ହେବ ବୋଲି କୁହାଯାଉଛି। ସୁନୀତାଙ୍କୁ ଏହି ଶୋ’ରେ ଦେଖିବା ଦର୍ଶକଙ୍କ ପାଇଁ ଏକ ଭିନ୍ନ ଅନୁଭୂତି ହେବ।