ବଲାଙ୍ଗୀର: ମାତ୍ର ୩୦ ହଜାର ଟଙ୍କା ପାଇଁ ବିଛାଯାଇଥିଲା ହତ୍ୟାର ଯୋଜନା। ଟଙ୍କା ନ ଦେବାରୁ ଜଣେ କ୍ରସର ବ୍ୟବସାୟୀଙ୍କ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ। ଟିଟିଲାଗଡ଼ର ଏହି ଚାଞ୍ଚଲ୍ୟକର ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ।
ଯୁବ ବ୍ୟବସାୟୀ ଶମ୍ଭୁ ଅଗ୍ରୱାଲ ନିଜ କ୍ରସରରୁ ଫେରୁଥିବା ବେଳେ ମ୍ୟୁନିସିପାଲିଟି ଡମ୍ପିଂ ୟାର୍ଡ ନିକଟରେ ତାଙ୍କ ଉପରେ ହୋଇଥିଲା ପ୍ରାଣଘାତୀ ଆକ୍ରମଣ। ଏକ ଷ୍ଟିକ୍ରେ ମୁଣ୍ଡକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିଲା। ତେବେ ସୌଭାଗ୍ୟବଶତଃ ଶମ୍ଭୁ ପ୍ରାଣ ବଞ୍ଚାଇବାରେ ସଫଳ ହୋଇଥିଲେ।
ଘଟଣା ପରେ ଟିଟିଲାଗଡ଼ ଥାନାରେ ମାମଲା ରୁଜୁ ହେବା ସହ ପୋଲିସ ଆରମ୍ଭ କରିଥିଲା ତଦନ୍ତ। ମାମଲାର ଗୁରୁତ୍ୱକୁ ଦେଖି ବଲାଙ୍ଗିର ଏସପି ଅଭିଳାଷ ଜି ସ୍ୱୟଂ ତଦନ୍ତର ତଦାରଖ କରିଥିଲେ। ତଦନ୍ତ ପରେ ବିଜେପୁର ଅଞ୍ଚଳର ସନ୍ତୋଷ ରଣା, ଶୁଭମ ରଣା ଓ ଟିଟିଲାଗଡ଼ର ଆଲୋକ ଦାଶଙ୍କୁ ଗିରଫ କରିଛି ପୋଲିସ।
ପୋଲିସ ସୂଚନା ଅନୁସାରେ, ବିଜେପୁର ଅଞ୍ଚଳରେ ଏକ ଜମି କିଣାବିକାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଅଭିଯୁକ୍ତମାନେ ବ୍ୟବସାୟୀଙ୍କୁ ୩୦ ହଜାର ଟଙ୍କା ଦାବି କରିଥିଲେ। ଟଙ୍କା ନ ମିଳିବା ପରେ ଆକ୍ରମଣର ଷଡ଼ଯନ୍ତ୍ର ରଚାଯାଇଥିଲା।