କେନ୍ଦ୍ରାପଡ଼ା: ରାଜ୍ୟରେ ମହିଳା ଓ ନାବାଳିକାଙ୍କ ସୁରକ୍ଷାକୁ ନେଇ ପୁଣି ଉଠିଛି ବଡ଼ ପ୍ରଶ୍ନ। କେନ୍ଦ୍ରାପଡ଼ା ଜିଲ୍ଲାରେ ଜଣେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ପରିବାର ଅଣଓଡ଼ିଆ ହୋଇଥିବା ବେଳେ ସେମାନେ ସ୍ଥାନୀୟ ଅଞ୍ଚଳରେ ଝାଡୁ ବିକ୍ରି କରି ଜୀବିକା ନିର୍ବାହ କରୁଥିଲେ। ସୋମବାର ରାତିରେ କିଛି ଦୁର୍ବୃତ୍ତ ଘରୁ ନାବାଳିକାଙ୍କୁ ଛୁରି ଦେଖାଇ ଜବରଦସ୍ତ ଉଠାଇ ନେଇଥିବା ଅଭିଯୋଗ ହୋଇଛି।
ପରେ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଏକାଧିକ ଯୁବକ ଦୁଷ୍କର୍ମ କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଘଟଣା ପରେ ପୀଡ଼ିତା ଓ ତାଙ୍କ ପରିବାର ସଦର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ ଦାଖଲ କରିଥିଲେ।
ଅଭିଯୋଗ ପାଇବା ପରେ କେନ୍ଦ୍ରାପଡ଼ା ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଛି। ମାମଲାରେ ଜଡ଼ିତ ସନ୍ଦେହରେ ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚାଲିଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରୁଥିବା ବେଳେ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ମଧ୍ୟ କରାଯିବ।
ଏହି ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଓ ଆକ୍ରୋଶ ଦେଖାଦେଇଛି। ଦୋଷୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।
ଉଲ୍ଲେଖଯୋଗ୍ୟ ଯେ, ଗତକାଲି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଅଞ୍ଚଳରେ ମଧ୍ୟ ଜଣେ ଯୁବତୀ ତାଙ୍କ ପ୍ରେମିକ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଆସିଥିଲା। ଲଗାତାର ଏଭଳି ଘଟଣା ସାମ୍ନାକୁ ଆସୁଥିବାରୁ ରାଜ୍ୟରେ ମହିଳା ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ବର୍ତ୍ତମାନ ପୋଲିସ ମାମଲାର ତଦନ୍ତ ଜାରି ରଖିଛି ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଚାଲିଥିବା ସୂଚନା ମିଳିଛି।