କଟକ: ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ ରିପୋର୍ଟ ହଜିବା ମାମଲା ହାଇକୋର୍ଟରେ ପହଁଚିଛି । ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଅନ୍ତରୀଣ ଆବେଦନ ହୋଇଛି । ଆଇନଜୀବୀ ଦେବାଶିଷ ହୋତା ଏହି ଆବେଦନ କରିଛନ୍ତି ।
ଉଲ୍ଲେକ ଯୋଗ୍ୟ, ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡି ଅଭିଯୋଗ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ତଦନ୍ତ ଫାଇଲ୍ ଚୋରି ହୋଇଛି । ହଜିଥିବା ରିପୋର୍ଟ ହେଉଛି ବିଶ୍ୱ ହିନ୍ଦୁ ପରିଷଦ ନେତା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ତଦନ୍ତ ରିପୋର୍ଟ ଏବଂ ୨୦୧୬ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡର ଆରଡିସି ତଦନ୍ତ ରିପୋର୍ଟ । କ୍ୟାପିଟାଲ ଥାନା ପକ୍ଷରୁ ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୫, ୩୧୬(୨), ୨୩୮(ସି), ୨୪୧, ୬୧(୨)(ବି)ରେ ଏକ ମାମଲା ରୁଜୁ କରାଯାଇଛି।
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାରେ ବିଚାରପତି ଶରତ ଚନ୍ଦ୍ର ନାଇଡୁ ତଦନ୍ତ କରିଥିଲେ । ୨୦୧୬ ସେପ୍ଟେମ୍ବର ୧୯ ତାରିଖରେ ଏହାର ତଦନ୍ତ ରିପୋର୍ଟ ଗୃହ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ସେହିପରି ସମ୍ ହସ୍ପିଟାଲ୍ ଆର୍ଡିସି ତଦନ୍ତ ରିପୋର୍ଟ ମେ’ ୨୩, ୨୦୧୮ରେ ମୁଖ୍ୟସଚିବଙ୍କ କାର୍ଯ୍ୟାଳୟକୁ ଦିଆଯାଇଥିବାବେଳେ ସେଠାରୁ ମେ’ ୨୪, ୨୦୧୮ରେ ସିଏମ୍ଓକୁ ଯାଇଥିଲା। କିନ୍ତୁ ଏହି ଦୁଇଟି ଫାଇଲ୍ ଏବେ ସରକାରଙ୍କୁ ମିଳୁ ନାହିଁ ।