ଗୋପାଳଗଞ୍ଜ: ବଲିଉଡର ଲୋକପ୍ରିୟ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ପରିବାରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିହାରର ଗୋପାଳଗଞ୍ଜ ଜିଲ୍ଲାରେ ପଙ୍କଜ ତ୍ରିପାଠୀଙ୍କ ବଡ଼ ଭାଇ ବିଜେନ୍ଦ୍ର ନାଥ ତିୱାରୀଙ୍କ ଉପରେ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଏହି ମରଣାନ୍ତକ ଆକ୍ରମଣରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଅଭିନେତାଙ୍କ ପୈତୃକ ଗ୍ରାମ ବେଲସନ୍ଦରେ ହିଁ ଏହି ଅଘଟଣ ଘଟିଛି, ଯାହା ମାଧୋପୁର ଥାନା ଅନ୍ତର୍ଗତ ବରୌଲି ସହର ନିକଟରେ ଅବସ୍ଥିତ। ଗଣମାଧ୍ୟମ ରିପୋର୍ଟ ମୁତାବକ, ଗ୍ରାମରେ ପୂର୍ବରୁ ଲୁଚି ରହିଥିବା କିଛି ଦୁର୍ବୃତ୍ତ ହଠାତ୍ ବିଜେନ୍ଦ୍ର ନାଥଙ୍କ ଉପରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ। ପୂର୍ବ ଶତ୍ରୁତା ଯୋଗୁଁ ତାଙ୍କୁ ଟାର୍ଗେଟ୍ କରାଯାଇଥିବା ନେଇ ଆଶଙ୍କା କରାଯାଉଛି।
ଆକ୍ରମଣ ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଜରୁରୀକାଳୀନ ଚିକିତ୍ସା ପାଇଁ ପାଟନାର ଏକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିବାରୁ ବର୍ତ୍ତମାନ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି।
'ମିର୍ଜାପୁର: ଦ ମୁଭି'ରେ ନଜର ଆସିବେ ପଙ୍କଜ
ଅନ୍ୟପଟେ ଯଦି ପଙ୍କଜ ତ୍ରିପାଠୀଙ୍କ କଥା କହିବା, ତେବେ ସେ ଖୁବ୍ଶୀଘ୍ର ତାଙ୍କର ମୋଷ୍ଟ ଆୱେଟେଡ୍ ଫିଲ୍ମ ‘ମିର୍ଜାପୁର: ଦ ମୁଭି’ରେ ନଜର ଆସିବାକୁ ଯାଉଛନ୍ତି। ଗୁରୁମିତ ସିଂହଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଏହି ସିନେମାରେ ପଙ୍କଜଙ୍କ ବ୍ୟତୀତ ଅଲି ଫଜଲ, ରସିକା ଦୁଗଲ, ଦିବ୍ୟେନ୍ଦୁ, ଜିତେନ୍ଦ୍ର କୁମାର, ରବି କିଷନ, ଅଭିଷେକ ବାନାର୍ଜୀ ଏବଂ ଶ୍ୱେତା ତ୍ରିପାଠୀଙ୍କ ଭଳି ଦମଦାର କଳାକାର ପ୍ରମୁଖ ଭୂମିକାରେ ଅଛନ୍ତି।