ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଚୁକ୍ତିନାମାକୁ ନେଇ ଚାଲିଥିବା ପ୍ରୟାସ ମଧ୍ୟରେ ଆସିଛି ବଡ ଆଶ୍ୱସ୍ତିକର ଖବର । ଅନେକ ପ୍ରସଙ୍ଗରେ ଚାଲିଥିବା ଆଲୋଚନାରେ ଦୁଇ ଦେଶ ମଧ୍ୟରେ ପ୍ରାରମ୍ଭିକ ସହମତି ପ୍ରକାଶ ପାଇଛି । ଏଥିରେ ଇରାନକୁ ତେଲ ରପ୍ତାନୀ ପାଇଁ ୬୦ ଦିନର କୋହଳ ଦିଆଯିବା ସବୁଠୁ ବଡ ଉଲ୍ଲେଖନୀୟ ଘଟଣା । ବୈଶ୍ୱିକ ଉର୍ଜା ବଜାର ସହିତ ଭାରତ ପାଇଁ ଏହି ଖବର ବେଶ ଗୁରୁତ୍ୱ ବହନ କରୁଛି । ଭାରତ ନିଜର ଆବଶ୍ୟକତାର ବଡ ଭାଗ ଇନ୍ଧନ ଇରାନଠୁ ଆମଦାନୀ କରିଥାଏ । ହେଲେ ଆମେରିକାର କଟକଣା ପରେ ଆମଦାନୀ ପରିମାଣ ହ୍ରାସ ପାଇଥିଲା । ଇରାନ ଉପରୁ ତେଳ ରପ୍ତାନୀରେ କୋହଳ ଭାରତକୁ ମଧ୍ୟ ଫାଇଦା ମିଳିବ ବୋଲି ଆଶା କରାଯାଉଛି ।
ଏ ନେଇ ଆମେରିକା ଓ ଇରାନ ମଧ୍ୟରେ ସ୍ୱାକ୍ଷରିତ ଏମଓୟୁ ଆଧାରରେ ଏହି କୋହଳ ମିଳିଛି । ଏହା ବଦଳରେ ଇରାନ ହର୍ମୁଜ ପ୍ରଣାଳୀ ଦେଇ ଯାତାୟତ କରୁଥିବା ଜାହାଜ ଉପରେ କୌଣସି କଟକଣା ଲଗାଇବ ନାହିଁ କି ବାଧା ଦେବନି ବୋଲି ପ୍ରତିଶ୍ରୁତି ଦେଇଛି । ୬୦ ଦିନ ପର୍ଯ୍ୟନ୍ତ ଇରାନକୁ ଏହି ରିହାତି ମିଳିବ ଯାହା ଅଗଷ୍ଟ ୨୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ନିଷ୍ପତ୍ତି ଏମିତି ସମୟରେ ଆସିଛି ଯେତେବେଳେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଥିଲେ ଯେ, ସ୍ୱିଜରଲାଣ୍ଡରେ ଚାଲିଥିବା ଆଲୋଚନାରେ ବହୁତ ସକରାତ୍ମକ ପ୍ରଗତି ଘଟିଛି ।
ଇରାନର ଟ୍ରେଜେରୀ ବିଭାଗ କହିଛି ଯେ, ଚୁକ୍ତିନାମା ଅନୁସାରେ ଇରାନ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଅଶୋଧିତ ତୈଳ, ପେଟ୍ରୋକେମିକାଲ ଉତ୍ପାଦ ଏବଂ ଅନ୍ୟ ପେଟ୍ରୋଲିୟମ ଉତ୍ପାଦର ଉତ୍ପାଦନ, ରପ୍ତାନୀ ଓ ବିକ୍ରି କରି ପାରିବ । ଇରାନ ସହ ଭାରତ ପାଇଁ ଏହି ଖବର ବହୁତ ଆଶ୍ୱସ୍ତିକର ରହିଚି । ଆମେରିକା-ଇରାନ ଯୁଦ୍ଧ କାରଣରୁ ସମଗ୍ର ଦୁନିଆରେ ତୈଳ ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା ।
ଏବେ ଆମେରିକା ତେହେରାନକୁ ଦେଇଥିବା ୬୦ ଦିନର କୋହଳରେ ଭାରତକୁ ମଧ୍ୟ ବେଶ ଫାଇଦା ମିଳିବ ବୋଲି ଆଶା କରାଯାଉଛି । ଆମେରିକା ଇରାନ ଉପରେ କଟକଣା ଲଗାଇବା ପୂର୍ବରୁ ଭାରତ ଇରାନର ସବୁଠୁ ବଡ ଆମଦାନୀକାରୀ ରାଷ୍ଟ୍ର ଥିଲା । ୨୦୧୯ରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଆମେରିକା ଇରାନ ଉପରେ କଟକଣା ଲଗାଇଥିଲା । ଏହା ପରେ ଭାରତ ଇରାନଠୁ ତୈଳ ଆମଦାନୀ କମ କରିଥିଲା ।