ଭୁବନେଶ୍ୱର: ପ୍ରେମ, ପ୍ରତିଶ୍ରୁତି ଓ ପରେ ପ୍ରତାରଣା ଅଭିଯୋଗରେ ଗିରଫ ହୋଇଛନ୍ତି ରସିକିଆ ଡାକ୍ତର । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୋଲିସ ଅଭିଯୁକ୍ତ ଡାକ୍ତର ଅବିନାଶ ମହାନ୍ତିଙ୍କୁ ପୋଲିସ ଗିରଫ କରିଛି ।
ଡାକ୍ତର ଅବିନାଶ ମହାନ୍ତି ମହିଳାଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ । ଆଉ ସେହି ବାହାନାରେ ମହିଳାଙ୍କ ଠାରୁ ଅନେକ ସମୟରେ ଟଙ୍କା ନେଉଥିଲେ । ଏମିତିକି ଦୁବାଇ ଯାଇ ଜନ୍ମଦିନ ପାଳିଥିଲେ । ଦୁବାଇରେ କ୍ରୁଜରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଜନ୍ମ ଦିନ ପାଳିଥିଲେ । ଆଉ ସେହି ପଇସା ଯୁବତୀ ଜଣକ ଦେଇଥିଲେ । ଯୁବତୀ ଜଣକ ଏହି ରସିକିଆ ଡାକ୍ତରଙ୍କ ପାଇଁ ପ୍ରାୟ ୨୫ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ଦୁବାଇରୁ ଆସି ଓଡ଼ିଶାରେ ପହଁଚିବା ପରେ ଡାକ୍ତର ଅବିନାଶ ମହାନ୍ତି ନିଜର ଅସଲ ରୂପ ଦେଖାଇଥିଲେ ।
ସେ ଆଉ ମହିଳାଙ୍କୁ ବିବାହ କରିବେ ନାହିଁ ବୋଲି କହି ତାଙ୍କ ଠାରୁ ଦୂରତା ରଖିଥିଲେ । ଡାକ୍ତରଙ୍କ ଅନ୍ୟ ଏକ ଝିଅ ସହିତ ବିବାହ ସ୍ଥିର ହୋଇଥିଲା । ମହିଳା ଜଣକ ଜାଣିବା ପରେ ତାଙ୍କୁ ବହୁତ ବୁଝାସୁଝା କରିଥିଲେ । ମାତ୍ର ସେ ରାଜି ହୋଇନଥିଲେ । ସେହିପରି ଟଙ୍କା ମାଗିବାରୁ ଅଶ୍ଳୀଳ ଫଟୋ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ । ଶେଷରେ କିଛି ଉପାୟ ନ ପାଇ ମହିଳା ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ମହିଳାଙ୍କ ଅଭିଯୋଗ
ଡାକ୍ତର ଅବିନାଶ ମହାନ୍ତି ଗଜପତି ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଉସ୍ତା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ କାର୍ଯ୍ୟରତ ଥିଲେ । ଅନଲାଇନରେ ଜଣେ ମହିଳାଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ । ବାରମ୍ବାର ତାଙ୍କୁ ଫ୍ରେଣ୍ଡ ରିକ୍ୟୁଏସ୍ଟ ପଠାଇଥିଲେ । ମହିଳା ଜଣକ ପରେ ବନ୍ଧୁତା ରଖିଥିଲେ । ମହିଳା ଜଣକ ମାନସିକ ଅବସାଦରେ ଥିବାରୁ ସେ ତାଙ୍କର ଚିକିତ୍ସା କରିବେ ବୋଲି କହିଥିଲେ । ଏହା ପରେ ଭୁବନେଶ୍ୱର ଆସି ଔଷଧ ଦେବେ ବୋଲି କହି ବିଶ୍ୱାସ ଦେଇଥିଲେ । ମହିଳାଙ୍କ ଘରକୁ ଆସିବା ପରେ ପାନୀୟରେ ନିଶା ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ପରେ ମହିଳା ଜଣକ ଜାଣି ପାରିବା ପରେ କହିବାରୁ ତାଙ୍କର ସବୁ ଫଟୋ ଏବଂ ଭିଡ଼ିଓ ଭାଇରାଲ କରିଦେବେ ବୋଲି କହିଥିଲେ । ଆଉ ସେହି ଧମକ ଦେଇ ସୁନା ଚେନ୍, ସୁନା ମୁଦି, ରୁପାର ବ୍ରେସଲେଟ୍, ଆଇଫୋନ୍, ୨ ଲକ୍ଷ ୩୦ ହଜାର ଟଙ୍କା ନେଇଥିଲେ । ଏମିତିକି ମାସକୁ ମାସ ମହିଳା ଜଣକ ତାଙ୍କ ଚାକିରୀ ସ୍ଥାନକୁ ଗ୍ରୋସରୀ ମଧ୍ୟ ପଠାଉଥିଲେ । ଯେଉଁଠିକି ବୁଲାବୁଲି କରିବାକୁ ଗଲେ ତାଙ୍କ ଗାଡ଼ି ଭଡ଼ା ଖର୍ଚ୍ଚ ନେଉଥିଲେ ।