ଭୁବନେଶ୍ୱର: ଓଡ଼ିଶାର ଭାଷା ଓ ସାଂସ୍କୃତିକ ପରିଚୟକୁ ଆହୁରି ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଜିଲ୍ଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକର ନାମର ଇଂରାଜୀ ବନାନକୁ ସଂଶୋଧନ ଓ ମାନକୀକରଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜୁନ୍ ୨୨ ତାରିଖରେ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ସରକାରଙ୍କ କହିବା ଅନୁଯାୟୀ, ଓଡ଼ିଆ ଭାଷାର ଉଚ୍ଚାରଣକୁ ଯଥାର୍ଥ ଭାବେ ପ୍ରତିଫଳିତ କରିବା ପାଇଁ ଇଂରାଜୀ ବନାନରେ ଏହି ପରିବର୍ତ୍ତନ କରାଯାଉଛି।
ଦୀର୍ଘଦିନ ଧରି କିଛି ସ୍ଥାନର ଇଂରାଜୀ ବନାନ ଓଡ଼ିଆ ଉଚ୍ଚାରଣ ସହ ମେଳ ଖାଉନଥିଲା। ଫଳରେ ବିଭିନ୍ନ ସରକାରୀ ଦଲିଲ, ମାନଚିତ୍ର ଓ ଯୋଗାଯୋଗ ବ୍ୟବସ୍ଥାରେ ଅସଙ୍ଗତି ଦେଖାଯାଉଥିଲା। ଏବେ ସରକାର ସେହି ବନାନଗୁଡ଼ିକୁ ସଂଶୋଧନ କରିବାକୁ ଯାଉଛନ୍ତି।
ତେବେ ଏହି ପରିବର୍ତ୍ତନ କେବଳ ଇଂରାଜୀ ବନାନ ମଧ୍ୟରେ ସୀମିତ ରହିବ। କୌଣସି ଜିଲ୍ଲା, ବ୍ଲକ କିମ୍ବା ତହସିଲର ପ୍ରକୃତ ନାମ ପରିବର୍ତ୍ତନ ହେବ ନାହିଁ। ଅର୍ଥାତ୍ ନାମ ସେହି ରହିବ, କେବଳ ଇଂରାଜୀରେ ଲେଖିବା ଶୈଳୀ ଅଧିକ ଓଡ଼ିଆ ଉଚ୍ଚାରଣ ସହ ସମନ୍ୱିତ ହେବ।
ସରକାରଙ୍କ ଏହି ପଦକ୍ଷେପକୁ ଓଡ଼ିଆ ଭାଷାର ସ୍ୱାଭିମାନ ଓ ପରିଚୟ ସହ ଯୋଡ଼ି ଦେଖାଯାଉଛି। ବିଶେଷଜ୍ଞଙ୍କ ମତରେ, ଏହା ଦ୍ୱାରା ଭବିଷ୍ୟତରେ ସରକାରୀ ରେକର୍ଡ, ସାଇନବୋର୍ଡ ଓ ଡିଜିଟାଲ ପ୍ଲାଟଫର୍ମରେ ଏକରୂପତା ଆସିବା ସହ ଓଡ଼ିଆ ଭାଷାର ଧ୍ୱନିଗତ ସ୍ୱରୂପ ମଧ୍ୟ ସୁରକ୍ଷିତ ରହିବ।