ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀଙ୍କ ପାଇଁ ଆସିଛି ଖୁସି ଖବର । ରାଜ୍ୟ ସରକାର ଆଇନଜୀବୀମାନଙ୍କ ସହାୟତା ରାଶି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଇନଜୀବୀଙ୍କ ସହାୟତା ରାଶି ୪୦ ପ୍ରତିଶତ ବୃଦ୍ଧି କରିଛନ୍ତି ମୋହନ ସରକାର ।
ରାଜ୍ୟରେ ଆଇନଜୀବୀଙ୍କ ପାଇଁ ଥିବା ରାଜ୍ୟ କଲ୍ୟାଣ ପାଣ୍ଠିରୁ ଆଇନଜୀବୀମାନଙ୍କୁ ଅବସର କିମ୍ବା ଦେହାନ୍ତ କ୍ଷେତ୍ରରେ ତାଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇନଜୀବୀ ମାନଙ୍କ ପାଇଁ ଏହି ସହାୟତା ରାଶିର ପରିମାଣ ୪୦ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହାଦ୍ବାରା ରାଜ୍ୟର ବିଭିନ୍ନ କୋର୍ଟରେ କାର୍ଯ୍ୟରତ ହଜାର ହଜାର ଆଇନଜୀବୀ ମାନେ ଉପକୃତ ହୋଇପାରିବେ।
ଏହି ସହାୟତା ରାଶି ବୃଦ୍ଧିଦ୍ଵାରା ୫ ବର୍ଷ ବା ଏଥିରୁ କମ୍ ସମୟ ପାଇଁ କାର୍ଯ୍ୟରତ ଆଇନଜୀବୀମାନଙ୍କୁ କେବଳ ଦେହାନ୍ତ କ୍ଷେତ୍ରରେ ପରିବାରର ନିକଟତମ ଆତ୍ମୀୟଙ୍କୁ ୧,୦୫,୦୦୦ ଟଙ୍କା ସହାୟତା ଦିଆଯିବ। ଏହାପରେ ପ୍ରତ୍ୟେକ ଅଧିକ ବର୍ଷର ଅଭିଜ୍ଞତା ପାଇଁ ସହାୟତା ରାଶି ପରିମାଣ ବୃଦ୍ଧି ପାଇବ । ଅବସର ଓ ଦେହାନ୍ତ କ୍ଷେତ୍ରରେ ଏହି ସହାୟତା ମିଳିବ । ୩୦ ବର୍ଷ କାର୍ଯ୍ୟରତ ଥିଲେ, ଅବସର କ୍ଷେତ୍ରରେ ସମ୍ପୃକ୍ତ ଆଇନଜୀବୀଙ୍କୁ କିମ୍ବା ଦେହାନ୍ତ କ୍ଷେତ୍ରରେ ତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୬,୩୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ । ଏହା ସର୍ବାଧିକ ସହାୟତା ପରିମାଣ।
ସୂଚନାଯୋଗ୍ୟ ଯେ, ଶେଷଥର ପାଇଁ ଆଇନଜୀବୀ ମାନଙ୍କର ଏହି ସହାୟତା ରାଶି ୨୦୨୧ ମସିହାରେ ବୃଦ୍ଧି ପାଇଥିଲା।