ତାମିଲନାଡୁର ଏକ ସି-ଫୁଡ୍ ପ୍ରକ୍ରିୟାକରଣ କାରଖାନାରେ ଘଟିଥିବା ଭୟଙ୍କର ଗ୍ୟାସ୍ ଲିକ୍ ଘଟଣାରେ ମୃତ ଓଡ଼ିଆ ଶ୍ରମିକଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଏହି ଦୁଃଖଦ ସୂଚନା ଦେଇଛନ୍ତି ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ମୃତକମାନେ ହେଲେ ଜିମାନୀ ଜୁଆଙ୍ଗ, ଗୀତା ଜୁଆଙ୍ଗ, ଭୂମିଆ ଜୁଆଙ୍ଗ, ଶିବାନୀ ଜୁଆଙ୍ଗ ଓ ଫୁଲମଣି ଜୁଆଙ୍ଗ। ସମସ୍ତେ ତାମିଲନାଡୁର ତିରିଭଲୁର ଜିଲ୍ଲା ପେରିୟାପାଲିଆମ ଅଞ୍ଚଳର ଏକ ସି-ଫୁଡ୍ ଫ୍ୟାକ୍ଟ୍ରିରେ କାମ କରୁଥିଲେ।
ଶନିବାର କାରଖାନାରେ ହଠାତ୍ ଏମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା। ମୁହୂର୍ତ୍ତକ ମଧ୍ୟରେ ବିଷାକ୍ତ ଗ୍ୟାସ୍ କାରଖାନା ପରିସରରେ ବ୍ୟାପି ଯାଇଥିଲା। ଏଥିରେ ଅନେକ ଶ୍ରମିକ ଶ୍ୱାସକ୍ରିୟା ଜନିତ ସମସ୍ୟାରେ ପଡ଼ିଥିବା ବେଳେ କେତେକ ଅଚେତ ହୋଇଯାଇଥିଲେ। ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲକୁ ପଠାଇଥିଲେ। ହେଲେ ୫ ଜଣ ଓଡ଼ିଆ ଶ୍ରମିକଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା।
ଘଟଣା ପରେ ସ୍ଥାନୀୟ ପ୍ରଶାସନ କାରଖାନାକୁ ସିଲ୍ କରି ତଦନ୍ତ ଆରମ୍ଭ କରିଛି। ଗ୍ୟାସ୍ ଲିକ୍ ପଛରେ ସୁରକ୍ଷା ବ୍ୟବସ୍ଥାରେ କୌଣସି ଅବହେଳା ରହିଥିଲା କି ନାହିଁ, ତାହାର ଖୋଳତାଡ଼ ଚାଲିଛି।
ଏପଟେ ଘଟଣାକୁ ନେଇ ଓଡ଼ିଶା ସରକାର ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏକ ୩ ଜଣିଆ ସରକାରୀ ଟିମ୍ ତାମିଲନାଡୁ ଗସ୍ତ କରିଛି। ଟିମ୍ ସେଠାରେ ତାମିଲନାଡୁ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ମୃତକଙ୍କ ପରିବାରକୁ ସହାୟତା, କ୍ଷତିପୂରଣ ଏବଂ ମୃତଦେହ ଓଡ଼ିଶାକୁ ଆଣିବା ପ୍ରକ୍ରିୟା ତଦାରଖ କରିବ। ଏହି ଘଟଣା ପୁଣିଥରେ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ଶିଳ୍ପ ସଂସ୍ଥାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି।