ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳରେ ଦିନ ଦିପ୍ରହରରେ ଘଟିଛି ଚାଞ୍ଚଲ୍ୟକର ଗୁଳିକାଣ୍ଡ। ସ୍କୁଲ ସାମ୍ନାରେ ଫିଲ୍ମ ଷ୍ଟାଇଲରେ ୪ ରାଉଣ୍ଡ ଗୁଳି ଫୁଟାଇ ଆତଙ୍କ ଖେଳାଇଛନ୍ତି ଦୁଇ ଦୁର୍ବୃତ୍ତ। ଏହି ସମଗ୍ର ଘଟଣା ସିସିଟିଭିରେ କଏଦ ହୋଇଥିବା ବେଳେ ଅଞ୍ଚଳରେ ଭୟ ଓ ଚର୍ଚ୍ଚାର ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, କୋରେଇ ଥାନା ଅଧୀନ ପୂର୍ବକୋଟ ତେଲେଙ୍ଗା ବସ୍ତି ସ୍ଥିତ କାଜଳେଇ ହାଇସ୍କୁଲ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସିଥିଲେ। ଦୁଇ ହାତରେ ବନ୍ଧୁକ ଧରି ସେମାନେ ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ଫାୟାରିଂ କରିଥିଲେ। ମୋଟ ୪ ରାଉଣ୍ଡ ଗୁଳି ଚାଳନା କରାଯାଇଥିବା ଜଣାପଡ଼ିଛି।
ସୌଭାଗ୍ୟବଶତଃ କୌଣସି ଜୀବନହାନି ହୋଇନଥିଲା। ଗୁଳି ଜଣେ ବ୍ୟକ୍ତିଙ୍କ ଦେହରେ ନ ବାଜି ବାଇକରେ ବାଜିଥିବା ସୂଚନା ମିଳିଛି। ଘଟଣା ପରେ ଖବର ପାଇ କୋରେଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁଳି ବାଜିଥିବା ବାଇକ୍ ଓ ଗୋଟିଏ ଖୋକା ଜବତ କରିଛି।
ପ୍ରାଥମିକ ତଦନ୍ତରୁ ଏହି ଗୁଳିକାଣ୍ଡରେ ପ୍ରାୟ ୬ ଜଣ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଦିନ ଦିପ୍ରହରରେ ସ୍କୁଲ ସାମ୍ନାରେ ଏଭଳି ଫାୟାରିଂ ଘଟଣା ସ୍ଥାନୀୟ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି।
ଫେରାର ଦୁର୍ବୃତ୍ତଙ୍କୁ ଧରିବା ପାଇଁ କୋରେଇ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ, CCTV ଫୁଟେଜ୍ ଆଧାରରେ ତଦନ୍ତକୁ ଜୋରଦାର କରାଯାଇଛି।