ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଅଞ୍ଚଳରେ ଅଣଓଡ଼ିଆ ଯୁବତୀଙ୍କୁ ଭିଡ଼ ଦ୍ୱାରା ମାଡ଼ ମାରିବା ଘଟଣାକୁ ନେଇ ରାଜ୍ୟ ମହିଳା କମିସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି କହିବା ସହ ତୁରନ୍ତ ଓ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।
ଘଟଣାର ଶିକାର ହୋଇଥିବା ଯୁବତୀଙ୍କ ବୟାନ ରାଜ୍ୟ ମହିଳା କମିସନ ପକ୍ଷରୁ ଫୋନ୍ ଓ ଭିଡିଓ କଲ୍ ମାଧ୍ୟମରେ ରେକର୍ଡ କରାଯାଇଛି। ଯୁବତୀଙ୍କୁ ଶୀଘ୍ର ନ୍ୟାୟ ମିଳିବା ଏବଂ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ୱିତ କରିବା ପାଇଁ ରାୟଗଡ଼ା ଏସପିଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏହି ସମ୍ବେଦନଶୀଳ ମାମଲାରେ ୬୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରିବାକୁ କୁହାଯାଇଛି।
ବିଶେଷ କରି ଯୁବତୀଙ୍କୁ ମାଡ଼ ମାରିବା ସହ ଏହାର ଭିଡିଓ ଭାଇରାଲ କରିଥିବା ଲୋକଙ୍କ ବିରୋଧରେ କଠୋର ଆକ୍ସନ ନେବାକୁ ମହିଳା କମିସନ ଜୋର ଦେଇଛନ୍ତି। ମହିଳା କମିସନ ଅଧ୍ୟକ୍ଷା ଶୋଭନା ମହାନ୍ତି କହିଛନ୍ତି, “ଅନ୍ୟ ଜଣେ ଯୁବତୀଙ୍କୁ ନିଜ ପରିବାରର ସଦସ୍ୟ ବୋଲି ଭାବିବା ଆବଶ୍ୟକ। ଦୋଷୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହେବ, ଯାହା ଭବିଷ୍ୟତରେ ହିଂସାକାରୀଙ୍କ ପାଇଁ ଚେତାବନୀ ହେବ।”
ଏହି ଘଟଣାର ତଦନ୍ତ ଏବେ ଏଡିଜି ଏସ୍. ସାଇନୀଙ୍କ ନିର୍ଦ୍ଦେଶରେ କ୍ରାଇମ୍ ଏଗେନ୍ଷ୍ଟ ୱିମେନ୍ (CW) ଟିମ୍ ନଜରରେ ଚାଲିଛି। ସାଇନୀ କହିଛନ୍ତି, ଭିଡ଼ ହିଂସା ରୋକିବା କେବଳ ପୁଲିସର ଦାୟିତ୍ୱ ନୁହେଁ, ବରଂ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କର ମଧ୍ୟ ଦାୟିତ୍ୱ। ହିଂସା ଘଟୁଥିବା ବେଳେ ଭିଡିଓ ରେକର୍ଡ କରିବା ବଦଳରେ ଆଗକୁ ଆସି ପୀଡ଼ିତଙ୍କୁ ସହାୟତା କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ଜୁନ୍ ୧୬ ତାରିଖରେ ଇଣ୍ଟାଲିଗୁଡ଼ା ଗାଁରେ ଦିଲ୍ଲୀର ସୁମନ ଝା ଓ ଗୁଜରାଟର ଅର୍ପିତ ସୁତାରିଆ ନାମକ ଦୁଇଜଣ ଏନଜିଓ ଇଣ୍ଟର୍ନଙ୍କୁ ଶିଶୁ ଚୋର ସନ୍ଦେହରେ ଗ୍ରାମବାସୀ ଆକ୍ରମଣ କରିଥିଲେ। ସ୍ଥାନୀୟ ପର୍ବ ପାଳନ କରୁଥିବା ପିଲାମାନଙ୍କୁ ବିସ୍କୁଟ ବଣ୍ଟନ କରିବା ପରେ ସନ୍ଦେହ ସୃଷ୍ଟି ହୋଇଥିଲା। ଭିଡ଼ ଯୁବତୀଙ୍କୁ ନିର୍ଯାତନା ଦେବା ସହ ମାଡ଼ ମାରିଥିଲା ଏବଂ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ପୁଲିସ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଏପର୍ଯ୍ୟନ୍ତ ୨୩ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆହୁରି ଗିରଫଦାରୀ ହେବାର ସମ୍ଭାବନା ରହିଛି। ମାମଲାକୁ ‘ରେଡ୍ ଫ୍ଲାଗ୍’ ଭାବେ ଚିହ୍ନଟ କରାଯାଇଥିବା ବେଳେ ପୀଡ଼ିତଙ୍କୁ ପୂର୍ଣ୍ଣ ସହଯୋଗ ଓ ନ୍ୟାୟ ଦେବାକୁ ପୁଲିସ ପ୍ରତିଶ୍ରୁତି ଦେଇଛି।