ସମ୍ବଲପୁର: ସମ୍ବଲପୁରରେ ପ୍ରବାସୀ କେରଳମ୍ ଶ୍ରମିକଙ୍କୁ ପିଲା ଚୋର ସନ୍ଦେହରେ ଆକ୍ରମଣ ଘଟଣାରେ ୩ ଜଣଙ୍କୁ ପୋଲିସ ଅଟକ ରଖିଛି । ଏହା ସହିତ ପ୍ରବାସୀ ଶ୍ରମିକ ବିଷ୍ଣ କୈସଙ୍କୁ ଟ୍ରେନ୍ ଯୋଗେ ତାଙ୍କ ଘରକୁ ପଠାଇଛି ପୋଲିସ ।
ସମ୍ବଲପୁର ଅତିରିକ୍ତ ଏସପି ଅଜୟ କୁମାର ମିଶ୍ରଙ୍କ ସୂଚନା ଅନୁସାରେ, କ୍ଷେତ୍ରରାଜପୁର ଥାନା ଅନ୍ତର୍ଗତ ଧୋବାପଡ଼ା ଅଞ୍ଚଳରେ କେରଳମ୍ ଶ୍ରମିକ ବିଷ୍ଣୁ କୈସଙ୍କୁ ପିଲା ଚୋର ସନ୍ଦେହରେ ସଂଘବଦ୍ଧ ଆକ୍ରମଣ କରିଥିଲା । କେରଳମ ଆଲେପି ନର୍ଥ ଜିଲ୍ଲାର ବିଷ୍ଣୁ କୈସ ତିନି ମାସ ହେବ ବରଗଡ଼ରେ ରହି କାମ କରୁଥିଲେ । ସେ ବରଗଡ଼ରୁ ସମ୍ବଲପୁର ଆସି କାମ ଅନ୍ୱେଷଣ କରୁଥିଲେ । ଗତକାଲି ଧୋବାପଡ଼ା ନିକଟରେ ବୁଲୁଥିବା ସମୟରେ କିଛି ଯୁବକ ତାଙ୍କୁ ପଚାରିଥିଲେ । ସେ କେରଳ ଭାଷାରେ ଉତ୍ତର ଦେଇଥିଲେ । ଉକ୍ତ ଯୁବକମାନେ ଭାଷା ନ ବୁଝି ପାରିବାରୁ ତାଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି । ଏହି ସମୟରେ କିଛି ଲୋକେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଟିମ୍ ତୁରନ୍ତ ପହଁଚି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲା । ଏହା ପରେ ତାଙ୍କୁ ଖାଇବା ପିଇବା ଦେବା ସହିତ ତାଙ୍କ ଘରକୁ ପଠାଇଛି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଅନ୍ୟ ତଦନ୍ତ ଜାରି ରଖିଛି ।