ଚିକାଗୋରେ ଆୟୋଜିତ ଏକ ଅଦିନିଆ ରଥଯାତ୍ରାକୁ ନେଇ ପୁଣିଥରେ ବିବାଦରେ ଘେରିଛି ଇସ୍କନ (ISKCON)। ନିର୍ଦ୍ଧାରିତ ରଥଯାତ୍ରା ତିଥି ପୂର୍ବରୁ ଭଗବାନ ଜଗନ୍ନାଥଙ୍କୁ ରଥରେ ବିରାଜମାନ କରାଇ ଶୋଭାଯାତ୍ରା କରାଯାଇଥିବାରୁ ଭକ୍ତ ଓ ଓଡ଼ିଆ ପ୍ରବାସୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଅଭିଯୋଗ ହୋଇଛି ଯେ, ପାରମ୍ପରିକ ରୀତିନୀତି ଓ ଶାସ୍ତ୍ରୋକ୍ତ ତିଥିକୁ ଅଣଦେଖା କରି ISKCON ପକ୍ଷରୁ ଏହି ରଥଯାତ୍ରା ଆୟୋଜନ କରାଯାଇଛି। ଏପରିକି ଭଗବାନ ଜଗନ୍ନାଥଙ୍କୁ ଏକ ଲୁହା ରଥରେ ବିରାଜମାନ କରାଯାଇଥିବାକୁ ନେଇ ମଧ୍ୟ ଭକ୍ତମାନେ ଆପତ୍ତି ଉଠାଇଛନ୍ତି। କାର୍ଯ୍ୟକ୍ରମ ବନ୍ଦ କରିବାକୁ ବିଭିନ୍ନ ମହଳରୁ ଅନୁରୋଧ କରାଯାଇଥିଲେ ମଧ୍ୟ ରଥଯାତ୍ରା ଆୟୋଜନ ହୋଇଥିଲା।
ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ହାରିସବର୍ଗ ସମେତ ଅନ୍ୟାନ୍ୟ ସହରରେ ମଧ୍ୟ ଏଭଳି ଅକାଳ ରଥଯାତ୍ରା ଓ ସ୍ନାନଯାତ୍ରାକୁ ନେଇ ବିବାଦ ଦେଖାଦେଇଥିଲା। ଚଳିତ ମାସରେ ଜୁନ୍ ୭ ତାରିଖରେ ଆୟୋଜିତ ସ୍ନାନଯାତ୍ରାକୁ ମଧ୍ୟ ଅନେକ ଭକ୍ତ ଜଗନ୍ନାଥ ପରମ୍ପରା ପ୍ରତି ଅସମ୍ମାନ ବୋଲି କହିଥିଲେ।
ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଭିନ୍ନ ଧାର୍ମିକ ସଂଗଠନ ସରକାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ଓ ପବିତ୍ର ପଞ୍ଜିକାକୁ ସମ୍ମାନ ଦେଇ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ହେବା ଉଚିତ।
ସୂଚନା ମିଳିଛି ଯେ, ଆସନ୍ତା ମାସଗୁଡ଼ିକରେ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଅନ୍ୟାନ୍ୟ ଦେଶରେ ମଧ୍ୟ ଏଭଳି ଅନେକ ଅକାଳ ରଥଯାତ୍ରା ଆୟୋଜନ କରିବାକୁ ISKCON ଯୋଜନା କରିଛି। ଏହାକୁ ନେଇ ଜଗନ୍ନାଥ ପ୍ରେମୀ ଓ ଓଡ଼ିଆ ସମାଜ ମଧ୍ୟରେ ଚିନ୍ତା ଏବଂ ଅସନ୍ତୋଷ ଆହୁରି ବଢ଼ିବାରେ ଲାଗିଛି।