ଭୁବନେଶ୍ୱର: ଆଇନର ଉର୍ଦ୍ଧ୍ୱରୁ କେହି ନୁହଁନ୍ତି । ଆଇନ ତା ବାଟରେ ଯିବ । ଆମ ସରକାର ନ୍ୟାୟ ଦେବାର ଯତ୍ନବାନ । ଆମ ସରକାର ଘଣ୍ଟ ଘଉଡ଼ାଇବା ସରକାର ନୁହଁନ୍ତି । ବ୍ରହ୍ମପୁରରେ ଘରୋଇ ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପୁତୁରା ଗିରଫକୁ ନେଇ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
ପୁତୁରା ଗିରଫକୁ ନେଇ ପ୍ରଶ୍ନ ଉଠାଉଥିବା ରାଜନୈତିକ ଦଳମାନଙ୍କୁ ପରିବହନ ମନ୍ତ୍ରୀ ଦୃଢ଼ ଜବାବ ଦେଇଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ସ୍ପଷ୍ଟ ଭାବରେ କହିଛନ୍ତି ଯେ ବିଜେଡ଼ିର ପ୍ରଶ୍ନର ଉତ୍ତର ଦେବାକୁ ସେ ଉଚିତ୍ ମନେ କରୁନାହାଁନ୍ତି । ସେ ଅନେକ ବିଜେଡ଼ି ନେତାଙ୍କ ନାଁ ଧରିଛନ୍ତି ଯେଉଁମାନେ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଜଡ଼ିତ ଅଛନ୍ତି । ବିଜେଡ଼ି ସରକାର ସମୟରେ ମମିତା ମେହର ଏବଂ ମାହାଙ୍ଗା ଡବଲ୍ ମର୍ଡର୍ ଘଟଣାକୁ ମନେ ପକାଇ ଦେଇଛନ୍ତି । ଯେଉଁଥିରେ ବିଜେଡ଼ି ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ । କେବେବି ବିଜେଡ଼ି ସରକାର ଯତ୍ନବାନ ନଥିଲା ।
ମନ୍ତ୍ରୀ କହିଛନ୍ତି ଯେ ଏକ ସମ୍ବେଦନଶୀଳ କଥାକୁ ନେଇ ରାଜନୀତିର ରଙ୍ଗ ଦିଆଯାଉଛି । ଅଯଥାରେ ତାଙ୍କ ନାଁକୁ ଏଥିରେ ଯୋଡ଼ୁଛନ୍ତି । ଏଥିରେ ତାଙ୍କର ପୁତୁରା ବିଶ୍ୱଜିତ ଜେନାର ନାଁ ରହିଛି । ସେଥିପାଇଁ ସେ ତୁରନ୍ତ କହିଥିଲେ ଯେ ଆଇନର ଉର୍ଦ୍ଧ୍ୱରେ କେହି ନାହାଁନ୍ତି । ତାର ମୋବାଇଲ୍ ଓ ଲାପଟପ୍ ଜବତ କରିବାକୁ କହିଥିଲେ ଏବଂ ଗତକାଲି ବିଶ୍ୱଜିତ ଗିରଫ ହୋଇଛି । ଏଥିରୁ ସ୍ପଷ୍ଟ ହୋଇଛି ଆମ ସରକାର ନ୍ୟାୟ ଦେବାର ଯତ୍ନବାନ । ଆମ ସରକାର ଘଣ୍ଟ ଘଉଡ଼ାଇବା ସରକାର ନୁହଁନ୍ତି ।
ତେବେ ଛାତ୍ରୀ ମୃତ୍ୟୁ ମାମଲା ତାଙ୍କୁ ଅତ୍ୟନ୍ତ ଆଘାତ ଦେଇଛି । ଏହା ଏକ ଦୁଃଖଦ ଓ ସମ୍ବେଦନଶୀଳ ଘଟଣା । ଏଥିରେ ରାଜନୀତିର ରଙ୍ଗ ନ ଦେବାକୁ ସେ ଅନୁରୋଧ କରିଛନ୍ତି । ତଦନ୍ତ ତା ବାଟରେ ଯିବ । ଦୋଷୀକୁ ଦଣ୍ଡ ମିଳିବ । ସେ ପୋଲିସ ଉପରେ କୌଣସି ଚାପ ପକାଇ ନାହାଁନ୍ତି । ତାଙ୍କ ସରକାରରେ ଆଇନକୁ ସବୁବେଳେ ତା ବାଟରେ ଯିବାକୁ ଦିଏ ବୋଲି ମନ୍ତ୍ରୀ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ବିସିଏ ଛାତ୍ରୀ ସ୍ମୃତି ଭୋଳଙ୍କର ହଷ୍ଟେଲରୁ ଝୁଲନ୍ତା ମୃତ ଦେହ ମିଳିଥିଲା । ଏହା ଏକ ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ଛାତ୍ରୀଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପୁତୁରା ତଥା ଛାତ୍ରୀଙ୍କ ପୁରୁଷବନ୍ଧୁ ବିଶ୍ଵଜିତ ଜେନାଙ୍କ ନାଁରେ ଛାତ୍ରୀଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।