ଦିଲ୍ଲୀରେ ପ୍ରତିବର୍ଷ ବର୍ଷା ଋତୁରେ ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଏ। ସ୍ଥାନେ ସ୍ଥାନେ ଜଳବନ୍ଦୀ ସମସ୍ୟା ଦେଖାଦିଏ। ଏହା ସହିତ ବନ୍ୟା ଭଳି ସ୍ଥିତି ମଧ୍ୟ ସୃଷ୍ଟି ହୋଇଥାଏ। ଏଭଳି ପରିସ୍ଥିତିରେ ମୌସୁମୀ ସମୟରେ ରାଜଧାନୀରେ ଯେପରି ବନ୍ୟା ପରିସ୍ଥିତି ସୃଷ୍ଟି ନ ହୁଏ, ସେଥିପାଇଁ ରେଖା ସରକାର ଏବେଠାରୁ ଅଣ୍ଟା ଭିଡ଼ିବା ଆରମ୍ଭ କରିଦେଇଛନ୍ତି। ସରକାର ଏଥିପାଇଁ ଏକ ସମ୍ପୂର୍ଣ୍ଣ ବ୍ଲୁ-ପ୍ରିଣ୍ଟ ବା ଯୋଜନା ପ୍ରସ୍ତୁତ କରିଛନ୍ତି।
ରେଖା ସରକାର ବନ୍ୟା ନିୟନ୍ତ୍ରଣ ପାଇଁ Flood Control Order 2026 ଜାରି କରିଛନ୍ତି। ଏଥିରେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ମୌସୁମୀ ସମୟରେ ଜଳବନ୍ଦୀ ହେଉଥିବା ଅଞ୍ଚଳଗୁଡ଼ିକୁ ଚିହ୍ନଟ କରାଯାଇଛି। ଦିଲ୍ଲୀରେ ୨୦୨୩ ମସିହାରେ ଆସିଥିବା ବନ୍ୟା ଏବଂ ଯମୁନା ନଦୀର ଜଳସ୍ତର ରେକର୍ଡ ସ୍ତରରେ ପହଞ୍ଚିବା ଘଟଣାରୁ ଶିକ୍ଷା ଲାଭ କରି ପମ୍ପିଂ ଷ୍ଟେସନ, ଡ୍ରେନ୍ ଏବଂ ବ୍ୟାରେଜଗୁଡ଼ିକର ନଜର ରଖିବା ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ଅନ୍ୟପଟେ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ମଲ୍ଟି-ଏଜେନ୍ସି ପ୍ଲାନ୍ ଲାଗୁ କରାଯାଇ MCD, PWD, DDA ଏବଂ DJB କୁ ଦାୟିତ୍ୱ ଦିଆଯାଇଛି।
24X7 ସକ୍ରିୟ ରହିବ ସେଣ୍ଟ୍ରାଲ ଫ୍ଲଡ୍ କଣ୍ଟ୍ରୋଲ ରୁମ୍
ଦିଲ୍ଲୀ ସରକାର ୧୫ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ସେଣ୍ଟ୍ରାଲ ଫ୍ଲଡ୍ କଣ୍ଟ୍ରୋଲ ରୁମକୁ 24×7 ସକ୍ରିୟ (Active) ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କଣ୍ଟ୍ରୋଲ ରୁମ୍ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବ ଏବଂ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସୁନିଶ୍ଚିତ କରିବ।
ହାଇ-ଲେଭଲ୍ ମନିଟରିଂ କମିଟି
ଦିଲ୍ଲୀରେ ବନ୍ୟା ନିୟନ୍ତ୍ରଣର ତଦାରଖ ପାଇଁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଏକ ଆପେକ୍ସ କମିଟି ଗଠନ କରାଯାଇଛି, ଯେଉଁଥିରେ ସମ୍ପୃକ୍ତ ବିଭାଗର ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ, ଆବଶ୍ୟକ ସ୍ଥଳେ ସେନା, DDA, MCD, DJB ସମେତ ବିଭିନ୍ନ ସଂସ୍ଥାର ବରିଷ୍ଠ ଅଧିକାରୀ ସାମିଲ ହେବେ।
ସୂଚନା ଅନୁଯାୟୀ, ଦିଲ୍ଲୀରେ ଯମୁନା ନଦୀ ଏବଂ ନଜଫଗଡ଼ ଡ୍ରେନରେ ଜଳସ୍ତର ବୃଦ୍ଧି ପାଇଲେ ତିନୋଟି ପର୍ଯ୍ୟାୟରେ ଚେତାବନୀ ଜାରି କରାଯିବ।
ତିନୋଟି ପର୍ଯ୍ୟାୟରେ ଚେତାବନୀ
ଯମୁନା ନଦୀ (ହଥିନୀକୁଣ୍ଡ ବ୍ୟାରେଜରୁ ଜଳ ନିଷ୍କାସନ ଆଧାରରେ):
• ୧ ଲକ୍ଷ କ୍ୟୁସେକ: ପ୍ରଥମ ଚେତାବନୀ
• ୩ ଲକ୍ଷ କ୍ୟୁସେକ: ଦ୍ୱିତୀୟ ଚେତାବନୀ
• ୫ ଲକ୍ଷ କ୍ୟୁସେକ: ତୃତୀୟ ଚେତାବନୀ
ନଜଫଗଡ଼ ଡ୍ରେନ୍ (ମସାନୀ ବ୍ୟାରେଜ):
• ୩୫,୦୦୦ କ୍ୟୁସେକ: ପ୍ରଥମ ଆଲର୍ଟ
• ୭୦,୦୦୦ କ୍ୟୁସେକ: ଦ୍ୱିତୀୟ ଆଲର୍ଟ
• ୧ ଲକ୍ଷ କ୍ୟୁସେକ: ସର୍ବୋଚ୍ଚ ଚେତାବନୀ
ସଂବେଦନଶୀଳ ସ୍ଥାନ ଚିହ୍ନଟ
ଯମୁନା ନଦୀବନ୍ଧ, ରେଗୁଲେଟର ଏବଂ ପମ୍ପିଂ ଷ୍ଟେସନ ସମେତ ୨୦ରୁ ଅଧିକ ସଂବେଦନଶୀଳ (Sensitive) ସ୍ଥାନ ଚିହ୍ନଟ କରାଯାଇଛି। ଏହି ସବୁ ସ୍ଥାନରେ ଇଞ୍ଜିନିୟରିଂ ଟିମ୍ ଏବଂ ବିପର୍ଯ୍ୟୟ ପରିଚାଳନା କର୍ମୀଙ୍କୁ ମୁତୟନ କରାଯିବ, ଯେପରି କୌଣସି ବିପଦକୁ ସମୟ ଥାଉ ଥାଉ ଏଡ଼ାଇ ଦିଆଯାଇପାରିବ।
୧୩ଟି ଜିଲ୍ଲାରେ ସହାୟତା ଓ ଉଦ୍ଧାର ପ୍ରସ୍ତୁତି
ଦିଲ୍ଲୀର ସମସ୍ତ ୧୩ଟି ଜିଲ୍ଲାରେ ସେକ୍ଟର-ୱାଇଜ୍ (Sector-wise) କମିଟି ଗଠନ କରାଯାଇଛି। ପ୍ରତ୍ୟେକ ଜିଲ୍ଲାରେ କଣ୍ଟ୍ରୋଲ ରୁମ୍, ସହାୟତା ଶିବିର, ଡଙ୍ଗା, ପମ୍ପ ସେଟ୍, ଚିକିତ୍ସା ସୁବିଧା ଏବଂ ଖାଦ୍ୟ ସାମଗ୍ରୀ ପୂର୍ବରୁ ଉପଲବ୍ଧ କରାଯିବ। ଏହା ସହିତ ଆବଶ୍ୟକ ପଡ଼ିଲେ ସେନାର ସହାୟତା ମଧ୍ୟ ନିଆଯାଇପାରିବ। ଏଥିସହ ଦିଲ୍ଲୀବାସୀଙ୍କ ପାଇଁ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି, ଯେଉଁଥିରେ କଲ୍ କରି ସହାୟତା ମାଗିହେବ।
ହେଲ୍ପଲାଇନ ନମ୍ବର
• ୱାଟର ଲଗିଂ (ଜଳବନ୍ଦୀ) ହେଲ୍ପଲାଇନ: 1800-11-0093
• ପୋଲିସ: 100 / 112
• ଅଗ୍ନିଶମ ସେବା (ଫାୟାର ସର୍ଭିସ): 101
• ଆମ୍ବୁଲାନ୍ସ: 102
• ବିପର୍ଯ୍ୟୟ ପରିଚାଳନା (ଡିଜାଷ୍ଟର ମ୍ୟାନେଜମେଣ୍ଟ): 1077
ଦିଲ୍ଲୀ ସରକାର ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ ପ୍ରବଳ ବର୍ଷା ସମୟରେ ଖାଲୁଆ ଅଞ୍ଚଳ ଏବଂ ଜଳବନ୍ଦୀ ହେଉଥିବା ସ୍ଥାନରୁ ଦୂରେଇ ରୁହନ୍ତୁ ଏବଂ କୌଣସି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରନ୍ତୁ, ଯେପରି ସମୟ ଅନୁସାରେ ଲୋକଙ୍କୁ ସାହାଯ୍ୟ ଯୋଗାଇ ଦିଆଯାଇପାରିବ ଏବଂ କୌଣସି ବିପଦର ମୁକାବିଲା କରାଯାଇପାରିବ।