ଜଗତସିଂହପୁର: ବିରିୟାନୀ ଖରାପ ଥିବା ନେଇ ଅଭିଯୋଗ କରିବା ଜଣେ ଗ୍ରାହକଙ୍କ ପାଇଁ ମହଙ୍ଗା ପଡ଼ିଛି। ଖାଦ୍ୟର ଗୁଣବତ୍ତା ନେଇ ପ୍ରଶ୍ନ ଉଠାଇବାରୁ ହୋଟେଲ କର୍ମଚାରୀମାନେ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିବା ଅଭିଯୋଗ ହୋଇଛି। ଏପରି ଚାଞ୍ଚଲ୍ୟକର ଘଟଣା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ୧୫ ନମ୍ବର ଛକ ନିକଟରେ ଘଟିଛି।
ଆହତ ଯୁବକ ହେଲେ କୁଜଙ୍ଗ ବ୍ଲକ ଜୟଶଙ୍ଖପୁର ଗ୍ରାମର ସଞ୍ଜୀବ କୁମାର ମାଝୀ। ସୂଚନା ଅନୁସାରେ, ସଞ୍ଜୀବ ତାଙ୍କ ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ୧୫ ନମ୍ବର ଛକ ସ୍ଥିତ ‘ଜଷ୍ଟକୁକ୍’ ନାମକ ଏକ ହୋଟେଲକୁ ବିରିୟାନୀ ଖାଇବାକୁ ଯାଇଥିଲେ। କିନ୍ତୁ ବିରିୟାନୀରୁ ଦୁର୍ଗନ୍ଧ ଆସୁଥିବା ଏବଂ ଖାଦ୍ୟଟି ବାସି ଲାଗୁଥିବା ନେଇ ସେ ହୋଟେଲ କର୍ମଚାରୀଙ୍କୁ ପଚାରିଥିଲେ।
ସଞ୍ଜୀବଙ୍କ ଅଭିଯୋଗ ଅନୁଯାୟୀ, ଏହାପରେ ହୋଟେଲ କର୍ମଚାରୀଙ୍କ ସହ ତାଙ୍କର ବଚସା ହୋଇଥିଲା। କଥା କଟାକଟି ବଢ଼ିବା ପରେ କର୍ମଚାରୀମାନେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ହୋଟେଲ ମାଲିକଙ୍କ ନିର୍ଦ୍ଦେଶରେ କିଛି କର୍ମଚାରୀ ମିଶି ତାଙ୍କୁ ଆକ୍ରମଣ କରିଥିବା ସେ କହିଛନ୍ତି। ନିର୍ଦ୍ଧୁମ ମାଡ଼ ମାରିବା ସହ ତାଙ୍କ ମୁଣ୍ଡରେ ଆଘାତ କରାଯାଇଥିବାରୁ ସେ ରକ୍ତାକ୍ତ ହୋଇପଡ଼ିଥିଲେ।
ଅଭିଯୋଗ ହୋଇଛି ଯେ, ଏତିକିରେ କର୍ମଚାରୀମାନଙ୍କ ରାଗ ଶାନ୍ତ ହୋଇନଥିଲା। ଆହତ ଅବସ୍ଥାରେ ସଞ୍ଜୀବଙ୍କୁ ଟାଣି ଆଣି ରାସ୍ତା ଉପରେ ଫିଙ୍ଗି ଦେଇଥିଲେ। ଫଳରେ କିଛି ସମୟ ପାଇଁ କଟକ-ପାରାଦୀପ ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ଏବଂ ଟ୍ରାଫିକ ଜାମ୍ ସ୍ଥିତି ସୃଷ୍ଟି ହୋଇଥିଲା।
ଘଟଣାର ପ୍ରତ୍ୟକ୍ଷଦର୍ଶୀମାନେ ମଧ୍ୟ ଗ୍ରାହକଙ୍କୁ ମାଡ଼ ମାରାଯାଇଥିବା କଥା କହିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ପ୍ରଥମେ ହୋଟେଲ ଭିତରେ କଥା କଟାକଟି ହୋଇଥିଲା, ପରେ ବାହାରକୁ ଆସିବା ପରେ ଏକାଧିକ ବ୍ୟକ୍ତି ମିଶି ସଞ୍ଜୀବଙ୍କୁ ଆକ୍ରମଣ କରିଥିଲେ।
ଗୁରୁତର ଆହତ ସଞ୍ଜୀବଙ୍କୁ ତୁରନ୍ତ କୁଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ। କୁଜଙ୍ଗ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାର ସତ୍ୟାସତ୍ୟ ଖୋଜିବାରେ ଲାଗିଛି।